ଲାଂଚ ନେଇ ନିଲମ୍ବିତ ହେବା ପରେ ଏଭଳି ମତ ରଖିଲେ ଆଇଏଏସ୍ ଅଫିସର ବିଜୟ କେତନ

ଭୁବନେଶ୍ୱର: ଗତକାଲି ଲାଂଚ ନେବା ଘଟଣାରେ ଆଇଏଏସ୍ ଅଫିସର ବିଜୟ କେତନ ଉପାଧ୍ୟାୟଙ୍କୁ ନିଲମ୍ବିତ କରାଯାଇଥିଲା । ତେବେ ଏହି ଘଟଣାକୁ ନେଇ ଆଜି ବିଜୟ କେତନ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ, ମୋତେ ଫସାଯାଇଛି । ଆଜି ସେ ଭିଜିଲାନ୍ସ କୋର୍ଟରେ ହାଜର ବେଳେ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମୁଁ ଟଙ୍କା ଲାଂଚ ନେଇନାହିଁ । ମୋର କିଛି ଷ୍ଟାଫ ଯୋଜନାବଦ୍ଧ ଭାବେ ଫସାଇଛନ୍ତି। ମୋତେ ଫସାଇବାରେ ବିଭାଗର କିଛି ବରିଷ୍ଠ ଅଧିକାରୀଙ୍କ ମଧ୍ୟ ହାତ ରହିଛି।

ସୂଚନାଯୋଗ୍ୟ ଲାଂଚ ନେଉଥିବା ସମୟରେ ଭିଜିଲାନ୍‌ସ ଅଧିକାରୀଙ୍କ ହାତରେ ଧରାପଡ଼ିବା ପରେ ୨୦୦୯ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ବିଜୟ କେତନ ଉପାଧ୍ୟାୟଙ୍କୁ ସରକାର ନିଲମ୍ବିତ କରିଥିଲେ। ବିଲ୍‌ ପାସ୍‌ କରିବା ପାଇଁ ୧ ଲକ୍ଷ ଟଙ୍କାର ଲାଂଚ ନେଉଥିବା ବେଳେ ସେ ଧରାପଡ଼ିଥିଲେ। ଏହା ପରେ ତାଙ୍କୁ ଓ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା। ଗିରଫ ହେବା ପରେ ଭୁବନେଶ୍ୱରସ୍ଥିତ ଭିଜିଲାନ୍‌ସ କାର୍ଯ୍ୟାଳୟରେ ତାଙ୍କୁ ବରିଷ୍ଠ ଅଧିକାରୀମାନେ ପଚରାଉଚରା କରିଥିଲେ।