ହାଇଦ୍ରାବାଦ ଏନକାଉଂଟର ମାମଲା: ତଦନ୍ତ ପାଇଁ ଗଠିତ ହେଲା ୩ ଜଣିଆ କମିସନ

ନୂଆଦିଲ୍ଲୀ: ହାଇଦ୍ରାବାଦ ଡାକ୍ତରାଣୀ ଗଣଦୁଷ୍କର୍ମ ମାମଲା ଓ ହତ୍ୟା ମାମଲାରେ ୪ ଅଭିଯୁକ୍ତଙ୍କୁ ଏନକାଉଂଟର ମାମଲାର ତଦନ୍ତ ହେବ । ଏନେଇ ସୁପ୍ରିମକୋର୍ଟ ଆଜି ୩ଜଣିଆ ସଦସ୍ୟ ବିଶିଷ୍ଟ ତଦନ୍ତ କମିସନ୍ ଗଠନ କରିଛନ୍ତି ।

ପୂର୍ବତନ ସୁପ୍ରିମ‌କୋର୍ଟ ବିଚାରପତି ଭି ଏସ୍‌ ସିର୍‌ପୁରକର ଏହି କମିସନ୍‌ର ଅଧ୍ୟକ୍ଷତା କରିବେ। ତଦନ୍ତ କମିସନ୍‌ରେ ଥିବା‌ ଅନ୍ୟ ୨ ଜଣ ସଦସ୍ୟ ହେଉଛନ୍ତି ପୂର୍ବତନ ବମ୍ବେ ହାଇକୋର୍ଟ ବିଚାରପତି ରେଖା ବ‌ଲଦୋତା ଏବଂ ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଡି ଆର୍‌ କାର୍ତ୍ତିକେୟନ। କମିସନ୍‌ ୬ ମାସ ମଧ୍ୟରେ ତଦନ୍ତ ଶେଷ କରିବେ ଏବଂ ଏ ସଂକ୍ରାନ୍ତରେ ବିସ୍ତୃତ ରିପୋର୍ଟ ଦାଖଲ କରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଅନ୍ୟପକ୍ଷେ ହାଇଦ୍ରାବାଦ୍‌ ଏନକାଉଂଟର ଘଟଣାରେ ତେଲେଙ୍ଗାନା ହାଇକୋର୍ଟ ଏବଂ ଏନ୍‌ଏଚଆରସି ଦ୍ୱାରା ଆରମ୍ଭ ହୋଇଥିବା ବିଚାର ପ୍ରକ୍ରିୟା ଉପରେ କୋର୍ଟ ରହିତାଦେଶ ଲାଗୁ କରିଛନ୍ତି। ମାମଲା ସଂକ୍ରାନ୍ତ କୌଣସି ଆବେଦନର ଶୁଣାଣି ଅନ୍ୟ କୌଣସି କୋର୍ଟରେ ହେବନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସୁପ୍ରି‌ମକୋର୍ଟର ପ୍ରଧାନ ବିଚାରପତି ଏସ୍‌ ଏ ବୋବ୍‌ଡେଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ହାଇଦ୍ରାବାଦ୍‌ ଏନକାଉଂଟର ମାମଲାରେ ନିରପେକ୍ଷ ତଦନ୍ତ ଦାବିରେ ହୋଇଥିବା ୨ଟି ପିଆଇଏଲ୍‌ର ଶୁଣାଣି କରି ଏହା କହିଛନ୍ତି।

‌ତେବେ ତେଲେଙ୍ଗାନା ସରକାର ଉକ୍ତ ଏନକାଉଂଟର କୁ ଯୁକ୍ତିସଙ୍ଗତ ବୋଲି ଦର୍ଶାଇ ଦୃଢ଼ ସମର୍ଥନ କରିଛନ୍ତି। ଗତ ଡିସେମ୍ବର ୬ ତାରିଖରେ ହାଇଦ୍ରାବାଦ୍‌ ଡାକ୍ତରାଣୀ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ ଅଭିଯୁକ୍ତଙ୍କୁ ହାଇଦ୍ରାବାଦ୍‌ ପୁଲିସ ଏନକାଉଂଟରରେ ମାରିଥିଲା।