ହାଇଦ୍ରାବାଦ୍ ଗଣଦୁଷ୍କର୍ମ ଅଭିଯୁକ୍ତଙ୍କୁ ଏନକାଉଂଟର ପରେ ପୋଲିସ୍ ଙ୍କୁ ଏଭଳି ଧନ୍ୟବାଦ ଦେଲେ ସାଧାରଣ ଲୋକେ

ହାଇଦ୍ରାବାଦ :ହାଇଦ୍ରାବାଦର ପଶୁ ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ ଏବଂ ହତ୍ୟା ଘଟଣାର ୪ ଅଭିଯୁକ୍ତ ପୋଲିସ ଏନକାଉଣ୍ଟରରେ ଟଳିବା ପରେ ସାରା ଦେଶରେ ଲୋକମାନେ ଏହାକୁ ପ୍ରଶଂସା କରିଛନ୍ତି। ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ତେବେ ଏହି ଘଟଣା ପରେ ପୋଲିସର ଏନକାଉଣ୍ଟର ପରେ ହାଇଦ୍ରାବାଦର ଲୋକମାନେ ଖୁସୀ ଅଛନ୍ତି। ସେଠାକାର ବହୁ ମହିଳା ପୁଲିସକର୍ମୀଙ୍କୁ ରାକ୍ଷୀ ବାନ୍ଧିଥିବା ଦେଖିବାକୁ ମିଳିଛି। ଯେଉଁ ସ୍ଥାନରେ ପୋଲିସ ଏନକାଉଣ୍ଟର କରିଛି ସେହି ସ୍ଥାନରେ ଲୋକଙ୍କ ଭିଡ ସୃଷ୍ଟି ହେବାରେ ଲାଗିଲାଣି। କେବଳ ସେତିକି ନୁହେଁ ଲୋକମାନେ ପୋଲିସ କର୍ମୀଙ୍କୁ ଧରି ଏକ ପ୍ରକାର ଉତ୍ସବ ପାଳନ କରୁଛନ୍ତି। 

ଯେଉଁ ସ୍ଥାନରେ ୪ ବଳାତ୍କାରୀଙ୍କୁ ଏନକାଉଣ୍ଟର ହୋଇଛି ସେହି ସ୍ଥାନରେ ପୋଲିସ ଅଫିସରମାନେ ପହଁଚିଛନ୍ତି। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକମାନେ ହାଇଦ୍ରାବାଦ ପୋଲିସ ଅଫିସରଙ୍କ ଉପରେ ଫୁଲ ବର୍ଷା କରିଛନ୍ତି। ବାଣ ଫୁଟାଇ ଘଟଣାସ୍ଥଳରେ ଉତ୍ସବ ପାଳନ କରୁଛନ୍ତି। ଜାମ୍ମୁ କାଶ୍ମୀରର ପୂର୍ବତନ ଡିଜିପି ଏସପି ବୈଦ୍ୟ ମଧ୍ୟ ହାଇଦ୍ରାବାଦ ଏନକାଉଣ୍ଟରକୁ ନେଇ ପ୍ରଶଂସା କରିଛନ୍ତି।

ତେବେ ଦେଖିବାକୁ ଗଲେ ଏହି ଘଟଣା ପରେ ଯେଉଁ ପୁଲିସ କର୍ମୀଙ୍କ ପାରିବା ପଣିଆ ଉପରେ ଲୋକମାନେ ପ୍ରଶ୍ନ ଉଠାଇଥିଲେ ଆଜି ସେହି ଲୋକମାନେ ପୋଲିସର ଏହି ପଦକ୍ଷେପକୁ ଭୁରି ଭୁରି ପ୍ରଶଂସା କରୁଛନ୍ତି।