ଚେସ୍‌ ପ୍ରତିଯୋଗିତାରେ ଓଡ଼ିଶାକୁ ସ୍ୱର୍ଣ୍ଣ

ଜାତୀୟ ସ୍ତରରେ ଅନୁଷ୍ଠିତ ହୌସଲା-୨୦୧୯

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଆନୁକୂଲ୍ୟରେ ନୂଆଦିଲ୍ଲୀଠାରେ ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ ହୌସଲା-୨୦୧୯ର ପ୍ରଥମ ଦିନରେ ଚେସ୍‌ ପ୍ରତିଯୋଗିତାରେ ବାଳକ ବିଭାଗରେ ଓଡ଼ିଶାକୁ ସ୍ୱର୍ଣ୍ଣ ମିଳିଛି ।

ବିଭିନ୍ନ ରାଜ୍ୟର ଶିଶୁ ପ୍ରଯନି ଗୃହରେ ରହୁଥିବା ଅନ୍ତେବାସୀମାନଙ୍କୁ ନେଇ ଜାତୀୟ ସ୍ତରରେ ଅନୁଷ୍ଠିତ କ୍ରୀଡ଼ା ପ୍ରତିଯୋଗିତା ହୌସଲା-୨୦୧୯ ଆଜିଠାରୁ ତିନିଦିନ ଧରି ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରୀୟ ଜନ ସହଯୋଗ ଏବଂ ବାଲବିକାଶ ସଂସ୍ଥାନଠାରେ ଆରମ୍ଭ ହୋଇଛି । ଆଜି ପ୍ରଥମ ଦିନରେ ବିଭିନ୍ନ ଇନ୍‌ଡୋର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି କ୍ରମରେ ଅନୁଷ୍ଠିତ ଚେସ୍‌ ପ୍ରତିଯୋଗିତାରେ ବାଳକ ବିଭାଗରେ ଢେଙ୍କାନାଳ ଜିଲ୍ଲାର ଶିଶୁ ଯନି ଅନୁଷ୍ଠାନର ଅନ୍ତେବାସୀ ବିଷ୍ଣୁ ବେସ୍ରା ୬ ପଏଣ୍ଟ ହାସଲ କରି ପ୍ରଥମ ସ୍ଥାନ ଅଧିକାର କରିବା ସହ ସ୍ୱର୍ଣ୍ଣ ପଦକ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହି ପ୍ରତିଯୋଗିତାରେ ତେଲେଙ୍ଗାନାର ଶିଭ ରୌପ୍ୟ ଏବଂ ଛତିଶଗଡ଼ର ତାକେଶ୍ୱର ବ୍ରୋଞ୍ଜ ପାଇଛନ୍ତି । ଆସନ୍ତାକାଲି ଦୌଡ଼କୁଦ ପ୍ରତିଯୋଗିତା ଅନୁଷ୍ଠିତ ହେବ ।

ପ୍ରକାଶ ଥାଉ କି ରାଜ୍ୟର ୨୪୮ଟି ଶିଶୁ ଯନି ଅନୁଷ୍ଠାନର ଅନ୍ତେବାସୀମାନଙ୍କୁ ନେଇ ରାଜ୍ୟସ୍ତରୀୟ ହୌସଲା-୨୦୧୯ ଚଳିତ ଡିସେମ୍ବର ୧ ଓ ୨ରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଥିଲା । ଏଥିରୁ ବିଭିନ୍ନ ବର୍ଗରେ ଶ୍ରେଷ୍ଠ ବିବେଚିତ ୩୯ ଜଣ ଅନ୍ତେବାସୀଙ୍କୁ ନେଇ ଏକ ଟିମ୍‌ ଏହି ଜାତୀୟ ପ୍ରତିଯୋଗିତାରେ ଭାଗ ନେବାକୁ ଦିଲ୍ଲୀ ଯାଇଛନ୍ତି । ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ତରଫରୁ ଏହି ପ୍ରତିଯୋଗୀମାନଙ୍କୁ ଭାଗନେବା ଦିଗରେ ଆନୁଷଙ୍ଗିକ ସମସ୍ତ ସୁବିଧାସୁଯୋଗ ଯୋଗାଇଦେବା ସହ ସେମାନଙ୍କ ଦାୟିତ୍ୱରେ ରାଜ୍ୟ ଶିଶୁ ସୁରକ୍ଷା ସମିତିର ୬ ଜଣ ଅଧିକାରୀ ଦିଲ୍ଲୀ ଯାତ୍ରା କରିଛନ୍ତି ।