ଆଜିଠାରୁ ରାଜଧାନୀର ସବୁ ହୋଟେଲ ଖୋଲିବ

ଭୁବନେଶ୍ୱର: ଆଜିଠାରୁ ରାଜଧାନୀର ସବୁ ହୋଟେଲ ଖୋଲିବ । ସମସ୍ତ ତାରକା ଓ ଅଣତାରକା ହୋଟେଲ ଖୋଲିବାକୁ ବିଏମସି ଅନୁମତି ଦେଇଛି। କିନ୍ତୁ ଏଥିପାଇଁ ସର୍ତ ରଖିଛି ଯେ, ଯେଉଁ ହୋଟେଲ ସଙ୍ଗରୋଧ ଲୋକଙ୍କୁ ରଖୁନାହାନ୍ତି ସେମାନେ ସର୍ବାଧିକ ୭୨ଘଂଟା ପାଇଁ ଓଡ଼ିଶାକୁ ଆସୁଥିବା ଲୋକଙ୍କୁ ରଖିପାରିବେ। ଏହାବାଦ୍ ବିମାନର କ୍ରିଉ ସଦସ୍ୟଙ୍କୁ ବି ରଖିପାରିବେ। ଏନେଇ ବୁକିଂ ରଖିବାରେ କିଛି ଅସୁବିଧା ନାହିଁ। ବିଏମସି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟ ବାହାରୁ ଆସୁଥିବା ଲୋକ ଯଦି ୭୨ଘଂଟା ଭିତରେ କାମ ସାରି ତାଙ୍କ ରାଜ୍ୟକୁ ଫେରିଯିବାର ଥିବ ବା କୌଣସି ଦରକାରୀ କାମରେ କେହି ଆସୁଥିବେ ଏବଂ ସର୍ବାଧିକ ୭୨ଘଂଟା ରହୁଥିବେ ସେମାନଙ୍କୁ ତାରକା ହୋଟେଲ ସମେତ ଅନ୍ୟ ହୋଟେଲଗୁଡ଼ିକ ରଖିପାରିବେ।

ଏହାବାଦ୍ ଭୁବନେଶ୍ୱରକୁ ଆସୁଥିବା ଏବଂ ଏଠାରୁ ଯାଉଥିବା ବିମାନ କର୍ମଚାରୀଙ୍କୁ ରୁମ୍ ସେବା ଯୋଗାଇ ଦିଆଯାଇ ପାରିବ। ନୂଆ ନିୟମ ଅନୁଯାୟୀ, ପ୍ରତି ହୋଟେଲରେ ଥର୍ମାଲ୍ ସ୍କ୍ରିନିଂ ବ୍ୟବସ୍ଥା କରାଯିବା ସହ ହୋଟେଲକୁ ଆସୁଥିବା ଲୋକ ଏବଂ ତାଙ୍କ ସାମଗ୍ରୀର ବିଶୋଧନ କରିବାକୁ ପଡ଼ିବ। କୌଣସି ରେସ୍ତୋରାଁରେ ଖାଇବା ସୁବିଧା ମିଳିବ ନାହିଁ। ରୁମ୍ କୁ ଖାଦ୍ୟ ମଗାଇ ଖାଇବେ। ସମସ୍ତ ଅତିଥି ଓ କର୍ମଚାରୀ ମାସ୍କ ପିନ୍ଧି ବାଧ୍ୟତାମୂଳକ କରାଯାଇଛି। ଏହାଛଡ଼ା ହୋଟେଲ କର୍ତୃପକ୍ଷ ଯାତ୍ରୀଙ୍କ ବୁକିଂ ରଖିବା ବେଳେ ସେମାନଙ୍କ ଫେରିବା ଟିକେଟ୍ ଯାଂଚ କରିବେ। ଏହାଛଡ଼ା ଅନ୍ୟ ନିୟମ ମଧ୍ୟରେ ହୋଟେଲରେ କୌଣସି ସଭାସମିତି, ବିବାହ, ବ୍ରତ ଉତ୍ସବ ହୋଇପାରିବ ନାହିଁ। ସେହିପରି ରାଜଧାନୀକୁ ଆସୁଥିବା ଲୋକମାନେ ଯଦି ସଙ୍ଗରୋଧରେ ରହିବାକୁ ଚାହୁଁଥିବେ, ତେବେ ସେମାନେ ସେଥିପାଇଁ ନିର୍ଧାରିତ ୬୪ଟି ହୋଟେଲରେ ବୁକିଂ କରି ରହିପାରିବେ। ଏହି ହୋଟେଲରେ କେତେ ଦାମ୍ ଦେବାକୁ ହେବ ତାହା ଧାର୍ଯ୍ୟ ହୋଇଛି।