ହନିପ୍ରୀତଙ୍କୁ ମିଳିଲା ଜାମିନ୍‌

ଚଣ୍ଡୀଗଡ଼: ୨୦୧୭ ମସିହାର ବହୁ ଚର୍ଚ୍ଚିତ ପଞ୍ଚକୁଲା ହିଂସା ମାମଲାରେ ଆତ୍ମଘୋଷିତ ବାବା ଗୁରମୀତ ସିଂହର ଘନିଷ୍ଠ ସହଯୋଗୀ ହନୀପ୍ରୀତ ସିଂହଙ୍କୁ ଜାମିନ୍‌ ମିଳିଛି। ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମୀତ ଦୋଷୀ ସାବ୍ୟସ୍ତ ହେବାପରେ ହୋଇଥିବା ଦଙ୍ଗା ଏବଂ ହିଂସା ମାମଲାରେ ହନୀପ୍ରୀତଙ୍କୁ ପୂର୍ବରୁ ଗିରଫ କରାଯାଇଥିଲା।

ଗୁରମୀତକୁ ଏକ ଦୁଷ୍କର୍ମ ମାମଲାରେ ପ୍ରଥମେ ଗିରଫ କରାଯାଥିଲା ଏହାପରେ ତା’ର କଳା ସାମ୍ରାଜ୍ୟର ଖୁଲାସା ହୋଇଥିଲା। ଏହାପରେ ସଂଘଟିତ ଦଙ୍ଗା ପାଇୱ ଗୁରମୀତର ଅନୁଗାମୀଙ୍କୁ ଉସକାଇବାରେ ହନୀପ୍ରୀତଙ୍କର ଭୂମିକା ରହିଥିବା ଅଭିଯୋଗ ଆସିଥିଲା। ଏହାପରଠାରୁ ସେ ଅମ୍ବାଲା ଜେଲ୍‌ରେ ରହିଆସୁଛନ୍ତି। ତେବେ ଜାମିନ୍‌ ମିଳିବାପରେ ଖୁବ୍‌ ଶୀଘ୍ର ସେ ଜେଲ୍‌ରୁ ବାହାରିବେ ବୋଲି କୁହାଯାଉଛି।

ହନୀପ୍ରୀତ ଆଜି ଭିଡିଓ କନ୍‌ଫରେନ୍ସିଂ ଯୋଗେ କୋର୍ଟ ଶୁଣାଣି ପାଇଁ ହାଜର ହୋଇଥିଲେ। ତାଙ୍କ ସମେତ ୩୯ ଜଣଙ୍କ ନାମରେ ପୂର୍ବରୁ ଦେଶଦ୍ରୋହ ମାମଲା ରୁଜୁ କରାଯାଇଥିଲା। ଗତ ସପ୍ତାହରେ ହିଁ ଏହି ମାମଲା ଉଠାଇଦିଆଯାଇଥିଲା। ଏହାପରେ ହନୀପ୍ରୀତ ଜାମିନ ଆବେଦନ କରିଥିଲେ। ସୂଚନାଯୋଗ୍ୟ ଯେ, ଗୁରମୀତ ତା’ର ସିର୍‌ସାସ୍ଥିତ ଆଶ୍ରମରେ ୨ ଜଣ ନାବାଳିକା ଅନୁଗାମୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଥିଲା।