ଆହାର କେନ୍ଦ୍ରରେ ଭୋଜନ କଲେ ଗୃହ ସଚିବ ସଞ୍ଜୀବ ଚୋପ୍ରା

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଦାୟିତ୍ୱରେ ଥିବା ନୋଡାଲ ଆଇଏଏସ୍ ଅଫିସର କଥା ଗୃହ ସଚିବ ସଞ୍ଜୀବ ଚୋପ୍ରା ଘୁ.ଉଦୟଗିରି ଅପରାହ୍ନରେ ଆହାର କେନ୍ଦ୍ରରେ ପହଂଚିଥିଲେ । ସେଠାରେ ପହଂଚି ଗୃହ ସଚିବ ଆହାର କେନ୍ଦ୍ରରେ ମିଳୁଥିବା ୫ ଟଙ୍କିଆ ଟିକେଟ କାଟିଲେ । ଏହାପରେ ସେ ଥାଳି ଧରି ଭାତ ଡାଲମା ଖାଇଥିଲେ । ଏହି ସମୟରେ କନ୍ଧମାଳ ଜିଲ୍ଲାପାଳ ଡି ବୃନ୍ଦା, ସ୍ଥାନୀୟ ବିଡିଓ ଶାନ୍ତନୁ କୁମାର ନାୟକ, ଏନଏସି ନିର୍ବାହୀ ଅଧିକାରୀ ସଞ୍ଜୀବ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଆହାର କେନ୍ଦ୍ରରେ ଖାଇବା ପରେ ଗୃହ ସଚିବ ସନ୍ତୋଷ ବ୍ୟକ୍ତ କରିବା ସହ ଆହାର କେନ୍ଦ୍ର ଖାଦ୍ୟ ପ୍ରସ୍ତୁତ ଦାୟିତ୍ୱରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କୁ ଡାକି କେଉଁଠି ରୋଷେଇ ହେଉଛି, କିଭଳି ରୋଷେଇ କରୁଛନ୍ତି, କେତେ ଖର୍ଚ୍ଚ ହେଉଛି, କେତେ ଲାଭ କରୁଛନ୍ତି ଭଳି ବହୁ ପ୍ରଶ୍ନ ପଚାରିବା ସହ ଫୁଲବାଣୀରେ ରୋଷେଇ କରି ଏତେ ଦୂର ଆଣିଲା ବେଳେ ଖାଦ୍ୟ ଖରାପ ହେଉନିକି ବୋଲି ପ୍ରଶ୍ନ ପଚାରିଥିଲେ। ଆହାର କେନ୍ଦ୍ରର ପାରିପାର୍ଶ୍ଵିକ ସ୍ଥିତି ଏବଂ ଖାଦ୍ୟକୁ ନେଇ ଗୃହ ସଚିବ ସନ୍ତୋଷ ବ୍ୟକ୍ତ କରିଥିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ।

ସେହିପରି ଘୁ.ଉଦୟଗିରି ସହରର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ପଡିଥିବା, ଆହାର କେନ୍ଦ୍ରରେ ଦୈନିକ ୩୦୦ ଲୋକଙ୍କ ନିମନ୍ତେ ଖାଦ୍ୟ ଦିଆ ଯାଉଥିବା ବେଳେ ବହୁ ଗରିବ ଲୋକ ଆହାର ଯୋଜନା ଖାଦ୍ୟରୁ ବଂଚିତ ହେଉଥିବା, ଦୈନିକ ୩୦୦ରୁ ବୃଦ୍ଧି କରି ୫୦୦ଜଣଙ୍କ ନିମନ୍ତେ ଖାଦ୍ୟ ବ୍ୟବସ୍ଥା କରିବା ନିମନ୍ତେ ସାଧାରଣରେ ଦାବି ହୋଇଥିଲା। ସହରରେ ଦୀର୍ଘ ବର୍ଷ ହେଲା ଅତିରିକ୍ତ ଉପଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟ ଖୋଲାଯାଇଛି ହେଲେ ଏହା କାର‌୍ୟ୍ୟକ୍ଷମ ହେଉନାହିଁ ବୋଲି ଦାବି ହୋଇଥିଲା। ଏସବୁ ସମସ୍ୟା ଉପରେ ଗୃହ ସଚିବ ନିଜ ମତ ରଖି କହିଥିଲେ। ସେ କହିଥିଲେ ଯେ, ମୁଁ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ଏହା ଉପରେ ପଦକ୍ଷେପ ନେବି ଏବଂ ଯଥା ସମ୍ଭବ ଏଦିଗରେ କାମ କରିବି ବୋଲି ପ୍ରତିଶ୍ରୁତି ଦେଇଥିଲେ।