ଅଖିଲେଶଙ୍କୁ ସୁରକ୍ଷା ଦେବେନି ବ୍ଲାକ କ୍ୟାଟ୍ କମାଣ୍ଡୋ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଲେଶ୍ ଯାଦବଙ୍କ ଉପରୁ ଜେଡ୍ ପ୍ଲସ୍ ସୁରକ୍ଷା ଉଠାଇ ନିଆଯିବ। ଏହାସହ ବ୍ଲାକ କ୍ୟାଟ୍ କମାଣ୍ଡୋ ଆଉ ଅଖିଲେଶଙ୍କୁ ସୁରକ୍ଷା ଯୋଗାଇବେ ନାହିଁ। ତେବେ ରାଜ୍ୟ ପୁଲିସ୍‌ ପକ୍ଷରୁ ତାଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ।

ଏନେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ତେବେ ଅଖିଲେଶ ଯାଦବଙ୍କ ବାପା ମୁଲାୟମ ସିଂହ ଯାଦବ ଓ ବିଏସ୍‌ପି ସୁପ୍ରିମୋ ମାୟାବତୀଙ୍କ ବ୍ଲାକ କ୍ୟାଟ୍ କମାଣ୍ଡୋ ସୁରକ୍ଷା ବଳବତ୍ତର ରହିବ। ୨୦୧୨ ମସିହାରେ ଅଖିଲେଶଙ୍କୁ ବ୍ଲାକ କ୍ୟାଟ୍‌ କମାଣ୍ଡୋର ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଥିଲା। ଅଖିଲେଶଙ୍କ ସୁରକ୍ଷାରେ ୨୨ ଜଣ ସଶସ୍ତ୍ର ଏନ୍‌ଏସଜି କମାଣ୍ଡୋ ନିୟୋଜ ହୋଇଥିଲେ।

କେବଳ ଅଖିଲେଶଙ୍କର ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରାଯାଇଛି ତାହା ନୁହେଁ, ମନ୍ତ୍ରଣାଳୟ ପକ୍ଷରୁ ପ୍ରାୟ ୧୨ ଜଣ ଭିଆଇଙ୍କ ସୁରକ୍ଷା ବ୍ୟବସ୍ଥାକୁ ହ୍ରାସ କରାଯାଇଛି।

ସୂଚନାଯୋଗ୍ୟ, ଲୋକସଭା ନିର୍ବାଚନରେ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ମଧ୍ୟରେ ମେଣ୍ଟ ହୋଇଥିଲା। ଲୋକସଭା ନିର୍ବାଚନରେ ପରେ ଏହି ମେଣ୍ଟ ଭାଙ୍ଗି ଯାଇଥିଲା। ବହୁଜନ ସମାଜ ପାର୍ଟି ୧୦ ଲୋକସଭା ଆସନ ଜିତିଥିବା ବେଳେ ସମାଜବାଦୀ ପାର୍ଟି ୫ଟି ଲୋକସଭା ଆସନରେ ବାଜିମାତ କରିଥିଲା।