କାର୍ଯ୍ୟାଳୟରେ ସର୍ଦ୍ଦାର ପଟେଲଙ୍କ ଫଟୋ ଲଗାଇବାକୁ ସୁରକ୍ଷାବଳଙ୍କୁ ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସିଆରପିଏଫ ଏବଂ ବିଏସଏଫ ସହିତ କେନ୍ଦ୍ରୀୟ ସୁରକ୍ଷାବଳକୁ ଦେଶର ସୁରକ୍ଷା ଏବଂ ଏକତାକୁ ସୁନିଶ୍ଚିତ କରିବାର ସଂକଳ୍ପ ସହ ନିଜର କାର‌୍ୟ୍ୟାଳୟରେ ସର୍ଦ୍ଦାର ପଟେଲଙ୍କ ଫଟୋ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଶୁକ୍ରବାର ଦିନ ଏହି ନିର୍ଦ୍ଦେଶନାମା ଜାରି ହୋଇଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି ।

ଅକ୍ଟୋବର ୩୧ ତାରିଖ ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ପୂର୍ବରୁ ଏହି ନିର୍ଦ୍ଦେଶ ଦିଆଯାଇଛି । ଗୃହମନ୍ତ୍ରୀ ସମସ୍ତ ଅର୍ଦ୍ଧସାମରିକ ବଳଙ୍କୁ “ଭାରତର ସୁରକ୍ଷା ଏବଂ ଏକତାକୁ ଆମେ ଅକ୍ଷୁର୍ଣ୍ଣ ରଖିବୁ” ଏହି ସନ୍ଦେଶ ସହ ପଟେଲଙ୍କ ଫଟୋ ଅଫିସରେ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସର୍ଦ୍ଦାର ପଟେଲ ଦେଶର ପ୍ରଥମ ଗୃହମନ୍ତ୍ରୀ ଏବଂ ଉପ ପ୍ରଧାନମନ୍ତ୍ରୀ । ଭାରତ ସ୍ୱାଧୀନତା ପରେ ସେ ୫୬୦ରୁ ଅଧିକ ଗଡଜାତ ରାଜ୍ୟକୁ ଭାରତୀୟ ସଂଘୀୟ ବ୍ୟବସ୍ଥାରେ ସାମିଲ କରିବାର ଶ୍ରେୟ ଦିଆଯାଇଥାଏ ।