କାଶ୍ମୀରର ସ୍ଥିତିକୁ ନେଇ ଅଜିତ୍ ଡୋଭାଲ-ଅମିତ ଶାହାଙ୍କ ମଧ୍ୟରେ ଆଲୋଚନା

ଶ୍ରୀନଗର: ଜମ୍ମୁକାଶ୍ମୀର ସ୍ଥିତି ନେଇ ଗୃହମନ୍ତ୍ରୀଙ୍କ ବୈଠକ। ସଂସଦ ଭବନ ପରିସରରେ ବସିଥିବା ଏହି ବୈଠକରେ ଗୃହ ସଚିବଙ୍କ ସହ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଉପସ୍ଥିତ ଥିଲେ। ଜମ୍ମୁ ଓ କାଶ୍ମୀରର ବର୍ତ୍ତମାନ ପରିସ୍ଥିତି ନେଇ ଏଥିରେ ଆଲୋଚନା ହୋଇଥିବା କୁହାଯାଉଛି। ଏହାସହ ଆଗାମୀ ରଣନୀତି ନେଇ ମଧ୍ୟ ଡୋଭାଲ ଓ ଗୃହ ସଚିବଙ୍କ ସହ ଶାହା ଆଲୋଚନା କରିଥିବାର ସୂଚନା ମିଳିଛି।

ସେପଟେ ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟର ବୈଠକ ବସୁଛି। ଏଥିରେ ମୋଦୀ ସରକାର କିଛି ବଡ଼ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ କ’ଣ ବଡ଼ ଘୋଷଣା ହୋଇପାରେ ସେ ଏନେଇ ଏପର୍ଯ୍ୟନ୍ତ କିଛି ଚିତ୍ର ସ୍ପଷ୍ଟ ହୋଇନି। ତେବେ କାଶ୍ମୀର ସମ୍ପର୍କିତ ଧାରା ୩୫-ଏ ଓ ୩୭୦ ନେଇ କିଛି ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ହୋଇଛି। ସେପଟେ କାଶ୍ମୀରରେ ଉତ୍ତେଜନା ପରିସ୍ଥିତି ଜାରି ରହିଛି।

ଅନ୍ୟପକ୍ଷରେ, ଭାରତ ପାକ୍‌ ସୀମାରେ ଏବେ ଯୁଦ୍ଧ ପରିସ୍ଥିତି। ଗତ ୪୮ ଘଂଟା ମଧ୍ୟରେ ଅଧିକ ଉତ୍ତେଜନା ଦେଖିବାକୁ ମିଳିଛି ନିୟନ୍ତ୍ରଣ ରେଖା ନିକଟରେ। ନିକଟରେ ସୀମାରେ ପାକ୍‌ ସେନାର ଅନୁପ୍ରବେଶ ଉଦ୍ୟମକୁ ବିଫଳ କରିଛନ୍ତି ଭାରତୀୟ ଯବାନ। କେରନ ସେକ୍ଟରରେ ସେନା ଗୁଳିରେ ଟଳିଥିଲେ ପାକ୍‌ ସେନାର ବର୍ଡର ଆକ୍ସନ ଟିମ୍‌ ବା ବ୍ୟାଟ୍‌ ର ୭ ଜଣ କମାଣ୍ଡୋ। ଭାରତୀୟ ସେନା ଏବେ ପାକ୍‌ ସେନାକୁ ମୃତ ଯବାନଙ୍କ ମୃତଦେହକୁ ନେଇଯିବାକୁ କହିଛି। ତେବେ ମୃତଦେହ ନେବାକୁ ଆସୁଥିବା ପାକ୍‌ ଜବାନ ସାଥିରେ ଧଳା ପତାକା ନେଇ ଆଗକୁ ବଢ଼ିବାକୁ ସ୍ପଷ୍ଟ ଭାବେ ଭାରତୀୟ ସେନା ପକ୍ଷରୁ କୁହାଯାଇଛି।

ଜୁଲାଇ ୩୧ ରୁ ଅଗଷ୍ଟ ୧ ତାରିଖ ରାତିରେ ଆତଙ୍କବାଦୀ କେରନ ସେକ୍ଟର ଦେଇ ଭାରତକୁ ଅନୁପ୍ରବେଶ ଉଦ୍ୟମ କରୁଥିବା ବେଳେ ଭାରତୀୟ ଯବାନଙ୍କ ଗୁଳିରେ ଏମାନେ ନିପାତ ହୋଇଛନ୍ତି। ପରେ ଜଣାପଡ଼ିଥିଲା ଏମାନେ ସବୁ ପାକ୍‌ ସେନାର ବ୍ୟାଚ୍‌ କମାଣ୍ଡୋ। ସେହିପରି ଶୁକ୍ରବାର ପାକ୍‌ ଅଧିକୃତ କଶ୍ମୀରରେ ୩୦ କିମି ଭିତରେ ଆତଙ୍କବାଦୀଙ୍କ ଆଡ୍ଡା ଧ୍ୱଂସ କରିଛି ସେନା। ଗୋଟିଏ ପଟେ ଘାଟୀରେ ସୈନ୍ୟ ବଳ ବଢୁଥିବା ବେଳେ, ଆତଙ୍କବାଦୀଙ୍କ ଉପରେ ଜୋରଦାର ପ୍ରହାର କରିଛି ଭାରତୀୟ ସେନା।