ଓଡ଼ିଶାରେ ହେବ ୨୦୨୩ ପୁରୁଷ ହକି ବିଶ୍ୱକପ୍‌ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ଓ ରାଉରକେଲାରେ ହେବ

ଭୁବନେଶ୍ୱର: ୨୦୨୩ ପୁରୁଷ ହକି ବିଶ୍ୱକପ୍‌ ଓଡ଼ିଶାରେ ହେବ। ଆପଣମାନେ ଖୁସି ତ, ମୁଁ ବି ଖୁସି। ହକି ବିଶ୍ୱକପ୍‌ ଭୁବନେଶ୍ୱର ଓ ରାଉରକେଲାରେ ହେବ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ଘୋଷଣା କରିଛନ୍ତି।

ଓଡ଼ିଶା ହକି ବିଶ୍ୱକପ-୨୦୧୮ର ପୂର୍ତ୍ତି ଅବସରରେ ଅନ୍ତର୍ଜାତୀୟ ହକି ଫେଡେରେସନର ସଭାପତି ନରିନ୍ଦର ଧ୍ରୁବ ବାତ୍ରା କହିଛନ୍ତି, ହକି ପାଇଁ ଓଡ଼ିଶା ବିକାଶମୂଳକ କାମ କରୁଛି। ଭୁବନେଶ୍ୱର ଏବେ ଭାରତର କ୍ରୀଡ଼ାର ରାଜଧାନୀ ପାଲଟିଛି। ଆମେ ଏଠାରେ ୨୦୧୮ ହକି ବିଶ୍ୱକପ ଆୟୋଜନ କରି ଅଦ୍ଭୁତ ସଫଳତା ପାଇଛୁ। ଏହା ବିଶ୍ୱସ୍ତରରେ ଆଦରଣୀୟ ହୋଇପାରିଛି। ମୁଁ ଯଦିଓ ପଂଜାବୀ ତଥାପି ଓଡ଼ିଆରେ କହିବାକୁ ଚାହୁଁଛି। ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଋଣୀ। ଓଡ଼ିଶାବାସୀ ଯେଉଁ ଭଲ ପାଇବା ଦେଇଛନ୍ତି, ସେଥିପାଇଁ ଆମେ ଋଣୀ।

ଓଡ଼ିଶା ହକି ପୁରୁଷ ବିଶ୍ୱକପ୍‌-୨୦୧୮ ସଫଳତାର ସହିତ ଆୟୋଜନ ହେବା ପରେ ଭାରତରେ ପୁଣି ଥରେ ୨୦୨୩ ପୁରୁଷ ହକି ବିଶ୍ୱକପ୍‌ ଖେଳାଯିବ। ଏହି ବିଶ୍ୱକପ୍‌ ୨୦୨୩ ଜାନୁଆରି ୧୩ରୁ ଆରମ୍ଭ ହେବ। ଦୀର୍ଘ ୧୭ ଦିନ ପରେ ଜାନୁଆରି ୨୯ରେ ଫାଇନାଲ ମ୍ୟାଚ୍‌ ଖେଳାଯିବ ବୋଲି ଗତ ୮ ତାରିଖରେ ଘୋଷଣା ହୋଇଥିଲା।

ଭାରତ ସ୍ୱାଧୀନ ହେବା ପରେ ୧୯୭୧ ପରଠାରୁ ୪ର୍ଥ ଥର ପାଇଁ ହକି ବିଶ୍ୱକପ୍‌ ଆୟୋଜନ ହେବ। ହକି ବିଶ୍ୱକପ ଆୟୋଜନ ପାଇଁ ଭାରତ ସମେତ ୩ଟି ଦେଶ ଅବେଦନ କରିଥିଲେ। ସବୁଠାରୁ ବଡ଼ କଥା ହେଲା, ଭାରତ ୨୦୨୨ରେ ୭୫ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ହକି ଇଣ୍ଡିଆର ନେତୃତ୍ୱରେ ୨୦୨୩ରେ ବିଶ୍ୱକପ୍‌ର ଆୟୋଜନ କରୁଛି।