ବିଶ୍ୱକପ୍ ହକି କାଉଣ୍ଟ ଡାଉନ ଆରମ୍ଭ : ଜାଣନ୍ତୁ କାହାର କେତେ ଦମ

ଭୁବନେଶ୍ୱର : ହକି ବିଶ୍ବକପ୍ ଯେତିକି ପାଖେଇ ଆସୁଛି ହକି ପ୍ରେମୀଙ୍କ ହୃଦୟର ସ୍ପନ୍ଦନ ସେତିକି ବଢିବାରେ ଲାଗିଛି । ନିଜ ପ୍ରିୟ ଦଳକୁ ବିଶ୍ବ ଚାମ୍ପିଅନ୍ ଚାମ୍ପିଅନ୍ ଭାବେ ଦେଖିବାକୁ ସମସ୍ତଙ୍କ ଇଚ୍ଛା । ଆୟୋଜକ ଭାରତ ସହ ବିଶ୍ବର ଶ୍ରେଷ୍ଠ ୫ ଟି ଦଳ ଏଥର ଚାମ୍ପିଅନ୍ ପାଇଁ ଦାବେଦାର । ସେପଟେ ଭୁବନଶ୍ବରରେ ପହଞ୍ଚି ସାରିଲେଣି ପାଖାପାଖି ସମସ୍ତ ଟିମ୍ । ସବୁ ଦଳ ହୋଟେଲରେ ସେଟ୍ ହୋଇସାରିଥିବା ବେଳେ ଅଭ୍ୟାସ ବି ଆରମ୍ଭ କରିସାରିଲେଣି ।

ଆରମ୍ଭ ହେଲାଣି କାଉଣ୍ଟ ଡାଉନ୍ । ଆଉ ମାତ୍ର ୨ ଦିନ । ଭୁବନେଶ୍ବର କଳିଙ୍ଗ ଷ୍ଟାଡିଅମରେ ହକି ବିଶ୍ବକପ୍ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର‌୍ୟ୍ୟାୟରେ । ଗୋଟିଏ ପରେ ଗୋଟିଏ ଦଳ ଆସି ଭୁବନେଶ୍ବରରେ ପହଞ୍ଚିସାରିଲେଣି । କାଲି ଇଂଲଣ୍ଡ, ଅଷ୍ଟ୍ରେଲିଆ ନ୍ୟୁଜିଲ୍ୟାଣ୍ଡ, ପାକିସ୍ତାନ, ନେଦରଲ୍ୟାଣ୍ଡ, ବେଲଜିୟମ୍ ଭଳି ଟିମ୍ ପହଞ୍ଚିଥିବା ବେଳେ ପୂର୍ବରୁ ଆୟାର୍ଲ୍ୟାଣ୍ଡ, ଦକ୍ଷିଣ ଆଫ୍ରିକା, ଫ୍ରାନ୍ସ. ଚୀନ୍ ଓ ସ୍ପେନ୍ ଭଳି ଦଳ ପହଞ୍ଚି ସାରିଥିଲେ । ସବୁ ଦଳ କଡା ସୁରକ୍ଷା ବଳୟ ମଧ୍ୟରେ ନିର୍ଦ୍ଧାରିତ ହୋଟେଲ୍ରେ ଥିବା ବେଳେ ଅଭ୍ୟାସ୍ ଆରମ୍ଭ କରିସାରିଲେଣି ।

ଏଥର ବିଶ୍ବକପ୍ରେ ଭାଗ ନେଇଛନ୍ତି ୧୬ ଦଳ । ୪ଟି ଗ୍ରୁପରେ ଦଳଗୁଡିକୁ ଭାଗ କରାଯାଇଛି । ଗ୍ରୁପ୍-ଏ ରେ ଆର୍ଜେଣ୍ଟିନା, ନ୍ୟୁଜିଲାଣ୍ଡ, ସ୍ପେନ୍ ଓ ଫ୍ରାନ୍ସ ଟିମ୍ ଥିବା ବେଳେ ଗ୍ରୁପ୍-ବିରେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଆୟାର୍ଲାଣ୍ଡ ଏବଂ ଚୀନ୍ ଅଛନ୍ତି । ଗ୍ରୁପ-ସି ରେ ବେଲଜିୟମ୍, ଭାରତ, କାନାଡ ଓ ଦକ୍ଷିଣ ଅଫ୍ରିକା ଥିବା ବେଳେ ଗ୍ରୁପ୍-ଡିରେ ନେଦରଲ୍ୟାଣ୍ଡ, ଜର୍ମାନୀ, ମାଲେସିଆ ଓ ପାକିସ୍ତାନ ସ୍ଥାନ ପାଇଛନ୍ତି । ଆସନ୍ତା ୨୮ ତାରିଖରେ ପ୍ରଥମ ମ୍ୟାଚ୍ରେ ବେଲଜିଅମ୍ ଓ କାନଡା ମୁକାବିଲା ହେବ । ସେହିଦିନ ଭାରତ ଓ ଦକ୍ଷିଣ ଅଫ୍ରିକା ଦ୍ବିତୀୟ ମ୍ୟାଚରେ ପରସ୍ପରକୁ ଭେଟିବେ । ଫାଇନାଲ୍ ଡିସେମ୍ବର ୧୬ ତାରିଖରେ ଖେଳାଯିବ ।

ତେବେ ଏଥର କିଏ ବାଜି ମାରିବ ? ଆୟୋଜକ ଭାରତ ସମେତ ବିଶ୍ବର ଶ୍ରେଷ୍ଠ ୫ଟି ଦଳ ଉପରେ ସମସ୍ତଙ୍କର ନଜର ରହିଛି । ୧୯୭୫ ପରେ ଭାରତ ଚାମ୍ପିଅନ୍ ହୋଇନାହିଁ । ତେବେ ନିଜ ମାଟିରେ ପୁଣିଥରେ ବିଶ୍ବ ଚାମ୍ପିଅନ୍ ହେବାକୁ ଭାରତ ଏଥର ଦମ୍ ଲଗାଇବ । ଟିମ୍ରେ ଯୁବ ଖେଳାଳିଙ୍କ ଭଲ ପ୍ରଦର୍ଶନ ଉପରେ ରହିବ ସମସ୍ତଙ୍କ ନଜର । ବିଶେଷକରି କ୍ୟାପଟେନ୍ ହରେନ୍ଦ୍ର ସିଂ, ଫରୱାର୍ଡ ଆକାଶଦୀପ ସିଂ, ମନଦୀପ୍ ସିଂ, ଦଲପ୍ରୀତ ସିଂ ଏଥର ବିଶ୍ବକପରେ ଭଲ ପ୍ରଦର୍ଶନ କରି ଛାପ ଛାଡିବେ ବୋଲି ଆଶା ରଖିଛନ୍ତି ହକି ପ୍ରେମୀ । ତେବେ ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆ ଓ ରନର୍ସ ଅପ୍ ନେଦରଲ୍ୟାଣ୍ଡ , ବେଲଜିୟମ୍ ଓ ଅର୍ଜେଣ୍ଟିନା ପରି ଦଳକୁ ପଛରେ ପକାଇ ବିଶ୍ବକପ୍ ଜିତିବା ଭାରତ ପକ୍ଷେ ସହଜ ନଥିଲେ ମଧ୍ୟ ଭାରତ ପାଇଁ ଚାମ୍ପିଅନ୍ ହେବାର ସୁଯୋଗ ରହିଛି ।

ଗତ ଦଶ ବର୍ଷ ମଧ୍ୟରେ ଅଷ୍ଟ୍ରେଲିଆ ଦଳର ପ୍ରଦର୍ଶନ ସର୍ବୋତ୍କୃଷ୍ଠ ରହିଛି । ଚଳିତ ଥର ବି ବିଶ୍ବକପ୍ ହାତେଇବାକୁ ପ୍ରଥମ ଦାବିଦାର ଭାବେ ଗ୍ରହଣ କରାଯାଉଛି । ଦଳରେ ଟ୍ରେଣ୍ଟ ମିଟନ୍, ଜେକ୍ ହ୍ବେଟନ୍ସ ବ୍ଲାକ୍ ଗୋଭର୍ସ, ଟିମୋଥି ବ୍ରାଣ୍ଡଙ୍କ ଭଳି ଖେଳାଳିଙ୍କୁ ରୋକିବା ଅନ୍ୟଦଳ ପକ୍ଷେ କାଠିକାର ନିଶ୍ଚିତ । ସେହିଭଳି ଅଲିମ୍ପିକ୍ ଚାମ୍ପିଅନ୍ ଆର୍ଜେଣ୍ଟିନା ପାଖରେ ଅଛନ୍ତି ସବୁଠୁ ଦମଦାର ଡ୍ରାଗ ଫ୍ଲିକର । ଲୁକାସ ଭିଲ୍ଲାଙ୍କ ସହ ଅଗଷ୍ଟିନ୍ ମାଜିଲି, ଗୋଞ୍ଜାଲୋ ପିଲେଟ୍ ଓ ଜୋକିନ୍ ମେମିନିଙ୍କ ଯୋଡି ଯେ କୌଣସି ବିପକ୍ଷ ଦଳ ପାଇଁ ଦୁସ୍ବପ୍ନ । ସେହିପରି ଅଷ୍ଟ୍ରେଲିଆକୁ ହାଟ୍ରିକ୍ ବିଶ୍ବକପ୍ ହାତେଇବାରେ ପ୍ରତିବନ୍ଧକ ସାଜିପାରେ ବିଶ୍ବମାନ୍ୟତାର ୩ ନମ୍ବରରେ ଥିବା ବେଲଜିୟମ୍ । ହକି ୱାର୍ଲଡ୍ ଲିଗରେ ଅଷ୍ଟ୍ରେଲିଆକୁ ହରାଇଥିଲା ବେଲଜିୟମ୍ । ସେଡ୍ରିକ୍ ଚାର୍ଲିଅର . ଥମାସ୍ ବ୍ରିଅଲ୍ସ . ଭାନ୍ ଅଉବେଲ୍ଙ୍କ ଭଳି ଖେଳାଳିଙ୍କ ଉପରେ ଅନେକ କିଛି ନିର୍ଭର କରିବ । ଏପର‌୍ୟ୍ୟନ୍ତ ଖେଳାଯାଇଥିବା ବିଶ୍ବକପ୍ରେ ପାକିସ୍ତାନ ସର୍ବାଧିକ ୪ ଥର ଚାମ୍ପିଅନ୍ ହୋଇଥିବା ବେଳେ ୨ ଥର ରନର୍ସ ଅପ୍ ହୋଇଛି । ସେହିଭଳି ନେଦରଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆ ୩ ଥର ଚାମ୍ପିଅନ୍ ହୋଇଛନ୍ତି । ଜର୍ମାନୀ ୨ ଥର ଚାମ୍ପିଅନ୍ ହୋଇଥିବା ବେଳେ ଭାରତ ମାତ୍ର ଥରେ ଚାମ୍ପିଅନ୍ ଓ ଥରେ ରନର୍ସ ଅପ୍ ହୋଇ ପାରିଛି ।