ଓଡ଼ିଶା ପ୍ରତି ସର୍ବାଧିକ ବିପଦ ହିଟ୍ୱେଭ୍: ସପ୍ତାହେ ଯାଏ ଗୁଳୁଗୁଳି ଓ ତତଲା ହାୱା

ଭୁବନେଶ୍ୱର : ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁଥିଲେ ମଧ୍ୟ ରାଜ୍ୟବ୍ୟାପୀ କ୍ରମାଗତ ୩ଦିନ ଧରି ପ୍ରବଳ ଗ୍ରୀଷ୍ମ ପ୍ରବାହ, ଗୁଳୁଗୁଳି ଓ ତତଲା ହାୱା ଜାରି ରହିଛି । ଏହି ସ୍ଥିତି ଆଉ ଏକ ସପ୍ତାହ ପର୍ଯ୍ୟନ୍ତ ଲାଗି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଅନ୍ୟପକ୍ଷରେ ୟୁଏନ୍ଡିପି ଓ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ପ୍ରସ୍ତୁତ କମ୍ପୋଜାଇଟ୍ ହାଜାର୍ଡ ଇଣ୍ଡେକ୍ସ (ସିଏଚ୍ଆଇ) ରିପୋର୍ଟ ଓଡ଼ିଶାର ଚିନ୍ତା ବଢ଼ାଇଛି । ସମଗ୍ର ଦେଶରେ ହିଟ୍ୱେଭ୍(ତତଲା ହାୱା) ବିପଦ ଡ଼ିଶାରେ ସର୍ବାଧିକ ବୋଲି ଏହି ରିପୋର୍ଟରେ କୁହାଯାଇଛି ।
ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ପାଣିପାଗ ବିଶେଷଜ୍ଞ ଲକ୍ଷ୍ମୀଧର ମହାପାତ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଗତକାଲି ତୁଳନାରେ ଆଜି ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇଛି । ତାପମାତ୍ରା ବୃଦ୍ଧି ପାଇବାର ମୁଖ୍ୟ କାରଣ ହେଉଛି ଉତ୍ତର-ଉତ୍ତରପଶ୍ଚିମ ଭାରତରୁ ଘଣ୍ଟାପ୍ରତି ୩୦ର ୫ କିମି ବେଗରେ ତତଲା ହାୱା ପ୍ରବାହିତ ହେଉଛି । ଏବେ ମୌସୁମୀ ଦୁର୍ବଳ ଅଛି । ଆସନ୍ତା ୭-୮ଦିନ ପର୍ଯ୍ୟନ୍ତ ବଙ୍ଗୋପସାଗରରେ ଲଘୁଚାପ କିମ୍ବା ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ନାହିଁ । ଅନ୍ୟପକ୍ଷରେ ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟରୁ ଜାରି ବିଜ୍ଞପ୍ତି ଅନୁସାରେ ରବିବାର ରାଜ୍ୟର ୭ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ସର୍ବାଧିକ ତାପମାତ୍ରା ଭୁବନେଶ୍ୱରରେ ୪୨.୩ ଡିଗ୍ରୀ ରେକର୍ଡ କରାଯାଇଛି । ଅନୁଗୁଳ, ବଲାଙ୍ଗିର, ବାରିପଦା, କଟକ, ଭବାନୀପାଟଣା, ଚାନ୍ଦବାଲି ସହରରେ ଆଜି ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ଶନିବାର ଓ ଶୁକ୍ରବାର ୮ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିବାବେଳେ ଭୁବନେଶ୍ୱର ସହରରେ ତାପମାତ୍ରା ୪୦.୨ ଡିଗ୍ରୀ ରେକର୍ଡ କରାଯାଇଥିଲା । ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟରେ ଆସନ୍ତା ୪୮ଘଣ୍ଟା ପର୍ଯ୍ୟନ୍ତ ତତଲା ହାୱା (ହିଟ୍ ୱେଭ୍) ଜାରି ରହିବ ବୋଲି ସତର୍କ ସୂଚନା ଜାରି କରାଯାଇଛି । ମାତ୍ର ରାଜ୍ୟ କୃଷି ବିଭାଗ ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ ଚାଷୀମାନଙ୍କୁ ଚାଷ କାର୍ଯ୍ୟ ନକରିବା ପାଇଁ ପରାମର୍ଶ ଦିଆଯାଇଛି । ପୁନଃମୌସୁମୀ ବର୍ଷା ନଆସିବା ଯାଏ ଢିପି ଓ ମଧ୍ୟମ କିସମ ଜମିରେ ବିହନ ନବୁଣିବା ପାଇଁ କହିବା ସହ ଜଳସେଚନ ଦ୍ୱାରା ଫସଲକୁ ଅଧିକ ତାପମାତ୍ରାରୁ ସୁରକ୍ଷା ଯୋଗାଇବାକୁ ପରାମର୍ଶ ଦେଇଛି । ତଳିକୁ ସିଧାସଳଖ ପ୍ରଖର ସୂର୍ଯ୍ୟକିରଣରୁ ସୁରକ୍ଷା ନିମନ୍ତେ ଜମିକୁ ଡାଳଆଦି ଛାମୁଣ୍ଡିଆରେ ଆଚ୍ଛାଦିତ କରିବାକୁ କୁହାଯାଇଛି । ଏହି ଗରମ ଶୁଖିଲା ପାଗ ଜୁନ୍ ୨୫ତାରିଖ ପର୍ଯ୍ୟନ୍ତ ଲାଗି ରହିବାର ସମ୍ଭାବନା ଅଛି ବୋଲି ବିଭାଗ ପକ୍ଷରୁ ଚାଷୀମାନଙ୍କୁ ପରାମର୍ଶ ଜାରି କରାଯାଇଛି । ସେହିପରି ୟୁଏନ୍ଡିପି ଓ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ସିଏଚ୍ଆଇ ରିପୋର୍ଟ ଅନୁସାରେ ଓଡ଼ିଶା ପ୍ରତି ସର୍ବାଧିକ ବିପଦ ସାଇକ୍ଲୋନ୍(ବାତ୍ୟା) ନୁହେଁ ବରଂ ହିଟ୍ୱେଭ୍ରୁ ରହିଛି । ରିପୋର୍ଟରେ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକୁ ପଛରେ ପକାଇ ଓଡ଼ିଶା ସବୁଠୁ ଉତ୍ତପ୍ତ ରାଜ୍ୟ ହେବାର ଆଶଙ୍କା ବ୍ୟକ୍ତ କରାଯାଇଛି । ସିଏଚ୍ଆଇ ରିପୋର୍ଟ ଅନୁସାରେ ହିଟ୍ୱେଭ୍ଇ ଣ୍ଡେକ୍ସ ଅନୁସାରେ ଓଡ଼ିଶା ୬.୯୫ ଅଙ୍କ ସହ ଦେଶର ସବୁଠୁ ଉତ୍ତପ୍ତ ରାଜ୍ୟ ହେବାକୁ ଯାଉଛି । ଏନ୍ଓଏଏ ଶୈଳୀ ଆପଣାଇ ରାଜ୍ୟର ବିଭିନ୍ନ ଜିଲ୍ଲାର ତାପମାତ୍ରା ଓ ଆଦ୍ରତାକୁ ଆକଳନ କରି ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାର ହାରାହାରି ତାପମାତ୍ରା ଇଣ୍ଡେକ୍ସ ୫୪ ଅଙ୍କ ଉପରେ ରହିଛି । ଛତିଶଗଡ଼ ଓ ତେଲେଙ୍ଗାନ ପରେ ଓଡ଼ିଶା ପ୍ରତି ବଜ୍ରପାତରେ ମଧ୍ୟ ଅଧିକ ବିପଦ ରହିଛି । ୨୦୧୫ରୁ ୨୦୧୭ ମସିହା ମଧ୍ୟରେ ବଜ୍ରପାତରେ ଓଡ଼ିଶାରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଏହି ରିପୋର୍ଟରେ ଦର୍ଶାଯାଇଛି ।