ବଢିଲା ଜଳସ୍ତର, ପୁଣି ଖୋଲିଲା ହୀରାକୁଦର ୬ ଗେଟ

ସମ୍ବଲପୁର:ସାରା ରାଜ୍ୟରେ ମୌସୁମୀ ସକ୍ରିୟ ରହିଛି । ଏହାର ପ୍ରଭାବରେ ଲଘୁଚାପ ମଧ୍ୟ ସୃଷ୍ଟି ହୋଇଛି । ଗତ ୩ଦିନ ହେଲା ତୁହାକୁ ତୁହା ବର୍ଷାରେ ଭିଜୁଛି ସାରା ଓଡିଶା । ପଶ୍ଚିମଠୁ ନେଇ ଉପକୂଳ, ଦକ୍ଷିଣଠୁ ନେଇ ଉତ୍ତର ସମସ୍ତ ସ୍ଥାନରେ ବର୍ଷା ଲାଗି ରହିଛି । ମହାନଦୀର ଉପରମୁଣ୍ଡରେ ମଧ୍ୟ ପ୍ରବଳ ବର୍ଷା ହୋଇଛି । ଯଦ୍ୱାରା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବା ସହ ୬ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି ।

ଆଜି ସକାଳେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ସର୍ବୋଚ୍ଚ ସ୍ତରରେ ପହଁଚି ଥିଲା । ଯାହାକୁ ଦେଖି କର୍ତୃପକ୍ଷ ୨ଟି ଗେଟ୍ ଖୋଲିଥିଲେ । ଏହାସହ ଖୋଲିଥିବା ଗେଟ୍ ସଂଖ୍ୟା ୩ଟି ପହଁଚିଥିଲା । ତେବେ ବର୍ଧିତ ଜଳସ୍ତରକୁ ଦେଖି ଆଉ ତିନୋଟି ଗେଟ୍ ଖୋଲା ଯାଇଛି । ଏବେ ମୋଟ୍ ୬ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ଯଦି ଆଗକୁ ଆହୁରି ବର୍ଷା ଲାଗି ରହେ ତେବେ ଅଧିକ ଗେଟ୍ ଖୋଲାଯିବ ବୋଲି ଡ୍ୟାମ କର୍ତୃପକ୍ଷ କହିଛନ୍ତି ।