ଭୁବନେଶ୍ୱର: ଆସନ୍ତା ୨୫ ତାରିଖରେ ହୀରାକୁଦ ବନ୍ଧରୁ ଛଡ଼ାଯିବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ। ଏ ନେଇ ବନ୍ଧ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବିଧିବଦ୍ଧ ଘୋଷଣା ଜାରି କରିଛନ୍ତି। ଚଳିତବର୍ଷ ସଠିକ ସମୟରେ ମୌସୁମୀ ଆସି ଭଲ ବର୍ଷା ହୋଇଥିବାରୁ ହୀରାକୁଦର ଜଳସ୍ତର ବର୍ତ୍ତମାନ ୬୧୫ ଫୁଟ ଅତିକ୍ରମ କରିସାରିଛି।
ରୁଲ୍ କର୍ଭ ଅନୁଯାୟୀ, ଜୁଲାଇ ୧ ତାରିଖ ସୁଦ୍ଧା ସର୍ବନିମ୍ନ ୫୯୫ ଫୁଟ ରହିବା କଥା। ହେଲେ ଜଳଭଣ୍ଡାରରେ ବର୍ତ୍ତମାନ ୨୦ ଫୁଟ ଅଧିକ ପାଣି ଥିବାରୁ ଜଳ ନିଷ୍କାସନ ଜରୁରୀ। ବନ୍ୟା ଜଳ ନିଷ୍କାସନ ପାଇଁ ତଳମୁଣ୍ଡରେ ସତର୍କତା ସୂଚନା ଜାରି କରାଯାଇଛି। ବିନା ଲଘୁଚାପରେ କିଛି ଦିନ ହେଲା ହୀରାକୁଦର ଉପରମୁଣ୍ଡରେ ଭଲ ବର୍ଷା ହୋଇଛି। ଏପରିକି କ୍ରମାଗତ ୫ ଦିନ ଧରି ହାରାହାରି ୨୦ ରୁ ୫୦ ମିମି ପର୍ଯ୍ୟନ୍ତ ବର୍ଷା ହୋଇ ଆସିଛି ।