ହିଞ୍ଜିଳି ଥାନା ଘେରାଉ, ପୋଲିସର ଲାଠିଚାର୍ଜ

ଗଞ୍ଜାମ: ବାଲି ଚୋରା ଚାଲାଣକୁ ପ୍ରତିବାଦ କରି ଗଂଜାମ ଜିଲ୍ଲା କୋଳିଦାସପୁରରେ ହୋଇଥିବା ଜଳାପୋଡା ଘଟଣା ଉଗ୍ର ରୂପ ନେଇଛି । ବାଲି ବୋଝେଇ ଟ୍ରକ୍ ଓ ଟ୍ରାକ୍ଟର ପୋଡିବା ଅଭିଯୋଗରେ ପୋଲିସ ଗାଁର କିଛି ଲୋକଙ୍କୁ ଅଟକ ରଖିଥିବା ବେଳେ ସେମାନଙ୍କୁ ମୁକ୍ତ କରିବା ପାଇଁ ଆଜି ଗାଁ ଲୋକେ ହଂଜିଳି ଥାନା ଘେରାଉ କରିଥିଲେ । ଏହି ସମୟରେ ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି ।

ଗ୍ରାମବାସୀମାନେ ପୋଲିସ ଉପରକୁ ଢ଼େଲା ପଥର ମାଡ କରିଛନ୍ତି । ପୋଲିସ ସେମାନଙ୍କ ଉପରେ ଲାଠିଚାର୍ଜ କରିଛି । ଲାଠିଚାର୍ଜ ପରେ ଆନ୍ଦୋଳନକାରୀ ସେଠାରୁ ଚାଲିଯାଇଛନ୍ତି । ତେବେ ସେଠାରେ ଏବେବି ଉତ୍ତେଜନା ଲାଗି ରହିଛି । ଘଟଣା ସ୍ଥଳରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଆସିକା ଏସ୍‌ଡିପିଓ ନିଜେ ସ୍ଥିତି ଉପରେ ନଜର ରଖିଛନ୍ତି । ସେପଟେ ପୋଲିସ ଅଟକ ରଖିଥିବା ୫ ଜଣଙ୍କୁ ଛାଡି ଦେଇଛି ।