ନବରତ୍ନ ଉଦ୍ୟୋଗ ନାଲକୋରେ ହିନ୍ଦୀ ପକ୍ଷ ପାଳିତ

ଭୁବନେଶ୍ୱର : ନବରତ୍ନ ଉଦ୍ୟୋଗ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ର ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଓ ୟୁନିଟ୍ଗୁଡ଼ିକରେ ସେପ୍ଟେମ୍ବର ୧ ରୁ ୧୫ ତାରିଖ ପର୍ଯ୍ୟନ୍ତ ହିନ୍ଦୀ ପକ୍ଷ ପାଳିତ ହୋଇଥିଲା । କର୍ମଚାରୀମାନଙ୍କ ମଧ୍ୟରେ ଦୈନନ୍ଦିକ କାର୍ଯ୍ୟରେ ହିନ୍ଦୀ ଭାଷାର ଉପଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ଏହା ଉଦ୍ଦିଷ୍ଟ ଥିଲା । ଏହି ଅବସରରେ, ହିନ୍ଦୀ ପ୍ରବନ୍ଧ ଲିଖନ, ବତ୍କୃତା, ନୋଟିଂ ଓ ପ୍ରଶ୍ନୋତ୍ତରୀ ଆଦି ପ୍ରତିଯୋଗୀତା ପୃଥକ୍ ଭାବେ ଉଭୟ ହିନ୍ଦୀଭାଷୀ ଓ ଅଣହିନ୍ଦୀଭାଷୀ କର୍ମଚାରୀଙ୍କ ମଧ୍ୟରେ ଆୟୋଜିତ ହୋଇଥିଲା । ଏଥି ସହିତ, ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଉପରେ ପୋଷ୍ଟର୍ ଓ ଗଳ୍ପଲିଖନ ଆଦି ପ୍ରତିଯୋଗୀତା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆୟୋଜିତ ହୋଇଥିଲା । ହିନ୍ଦୀପକ୍ଷର ଉଦ୍ଯାପନ ସମାରୋହରେ ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ପ୍ରତିଯୋଗୀତାର ବିଜେତାମାନଙ୍କୁ ପୁରସ୍କୃତ କରିବା ସହ ସ୍ୱର୍ଗତ ଶଙ୍କର ଦୟାଲ ସିଂ ସ୍ମୃତି ପୁରସ୍କାର ପ୍ରଦାନ କରିଥିଲେ ।

ଏହି ଅବସରରେ, କେନ୍ଦ୍ର ସାଂସଦୀୟ ବ୍ୟାପାର, କୋଇଲା ଓ ଖଣି ମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ହିନ୍ଦୀଦିବସ ବାର୍ତ୍ତା ମଧ୍ୟ ପାଠ କରାଯାଇଥିଲା । ନିଜର ଅଭିଭାଷଣରେ ଡଃ ଚାନ୍ଦ କହିଲେ ଯେ NALCO ଦ୍ୱାରା ଉତ୍ପାଦିତ ଆଲୁମିନିୟମ୍ ଇନ୍ଗଟ୍ରେ କମ୍ପାନୀର ନାମ ଉଭୟ ହିନ୍ଦୀ ଓ ଇଂରାଜୀରେ ଖୋଦିତ ହେଉଛି ଯାହା କି ୨୬ଟି ଦେଶକୁ ରପ୍ତାନୀ କରାଯାଉଛି । ଏହା ଦ୍ୱାରା ବିଶ୍ୱସ୍ତରୀୟ ଆଲୁମିନିୟମ୍ ଉତ୍ପାଦ ସହ ସମଗ୍ର ବିଶ୍ୱରେ ହିନ୍ଦୀ ଭାଷାର ପ୍ରସାର ଦିଗରେ ମଧ୍ୟ NALCO ଭୂମିକା ଗ୍ରହଣ କରୁଛି । ପ୍ରଶିକ୍ଷଣ, ପ୍ରୋତ୍ସାହନ, ପ୍ରତିଯୋଗୀତା ଓ ପୁରସ୍କାର ମାଧ୍ୟମରେ ଦୈନନ୍ଦିନ କାର୍ଯ୍ୟରେ ହିନ୍ଦୀ ଭାଷାର ବ୍ୟବହାରକୁ ଆଗେଇ ନେବା ପାଇଁ ନାଲ୍କୋ ପକ୍ଷରୁ ନିରନ୍ତର ଉଦ୍ୟମ କରାଯାଉଛି ବୋଲି ଡଃ ଚାନ୍ଦ ଉଲ୍ଲେଖ କରିବା ସହ ସରଳ ହିନ୍ଦୀର ପ୍ରୟୋଗ ଉପରେ ଗୁରୁତ୍ୱ ଆରୋପ କରିଥିଲେ ଯଦ୍ୱାରା କି ସାଧାରଣ କର୍ମଚାରୀମାନେ ସହଜରେ ହିନ୍ଦୀରେ କାମ କରିପାରିବେ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିର୍ଦ୍ଦେଶକ (ମାନବସମ୍ବଳ) ଶ୍ରୀ ବି.କେ. ଠାକୁର ବିଭିନ୍ନ ପ୍ରତିଯୋଗୀତାରେ ଅଂଶଗ୍ରହଣକାରୀଙ୍କୁ ପୁରସ୍କୃତ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ ହିନ୍ଦୀ ପକ୍ଷ ଅବସରରେ ନାଲ୍କୋର ୟୁନିଟ୍ଗୁଡ଼ିକରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଏବଂ ଦାମନଯୋଡ଼ିଠାରେ ଏକ ହିନ୍ଦୀ ହାସ୍ୟ କବି ସମ୍ମେଳନ ମଧ୍ୟ ଅନୁଷ୍ଠିତ ହୋଇଥିଲା ।