ହିମନ୍ତ ବିଶ୍ୱଶର୍ମା ହେବେ ଆସାମର ନୂଆ ମୁଖ୍ୟମନ୍ତ୍ରୀ

ଗୌହାଟି : ହିମନ୍ତ ବିଶ୍ୱଶର୍ମା ହେବେ ଆସାମର ଆଗାମୀ ମୁଖ୍ୟମନ୍ତ୍ରୀ । ବିଜେପି ବିଧାୟକ ଦଳ ବୈଠକରେ ରବିବାର ଦିନ ହିମନ୍ତ ବିଶ୍ୱଶର୍ମାଙ୍କ ନାମ ଉପରେ ମୋହର ଲାଗିଛି । ଶନିବାରଠାରୁ ଏଥିପାଇଁ ବିଜେପିରେ ମାନସ ମନ୍ଥନ ଚାଲିଥିଲା । ହିମନ୍ତ ବିଶ୍ୱଶର୍ମା,ସର୍ବାନନ୍ଦ ସୋନେୱାଲଙ୍କ ସ୍ଥାନ ନେବେ । ସୂଚନାଯୋଗ୍ୟ ଯେ, ଶନିବାର ଦିନ ଉଭୟ ସର୍ବାନନ୍ଦ ଓ ହିମନ୍ତ ବିଜେପି ସଭାପତି ଜେ ପି ନାଡ୍ଡା ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରିଥିଲେ ।
ବିଜେପି ୧୨୬ ଆସନ ବିଶିଷ୍ଟ ଆସାମ ବିଧାନସଭାରେ ୬୦ ଆସନ ଜିତିଛି । ଅନ୍ୟପକ୍ଷରେ ଏହାର ସହଯୋଗୀ ଆସାମ ଗଣପରିଷଦ ୯ ଓ ୟୁନାଇଟେଡ୍ ପିପୁଲ’ସ ଲିବରାଲ ୬ ଆସନ ଜିତିଛନ୍ତି । ବିଜେପି ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ କୌଣସି ନାମ ଘୋଷଣା କରିନଥିଲା । ଆସନ୍ତାକାଲି ଅର୍ଥାତ ସୋମବାର ଦିନ ହିମନ୍ତ ମୁଖ୍ୟମନ୍ତ୍ରୀ ପଦର ଶପଥ ନେବେ । ଆଜି ସେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ନିଜ ଦାବି ରଖିବେ । ସୂଚନାଯୋଗ୍ୟ ଯେ, ସର୍ବାନନ୍ଦ ସୋନେୱାଲ ଏହା ଭିତରେ ରାଜ୍ୟପାଳ ଜଗଦୀଶ ମୁଖିଙ୍କୁ ନିଜ ଇସ୍ତଫା ଦେଇଛନ୍ତି ।

ବିଜେପିରେ ଯୋଗଦାନ

ବିଜେପିରେ ଯୋଗଦାନ ପରେ ହିମନ୍ତ ଗୈରିକ ଦଳକୁ ଆସାମରେ କ୍ଷମତାକୁ ଆଣିଥିଲେ । ୨୦୧୬ ନିର୍ବାଚନରେ ବିଜେପି ତାଙ୍କ ପାଇଁ ଜିତିଥିଲା ବୋଲି କୁହାଯାଏ । ହିମନ୍ତଙ୍କ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ମଧ୍ୟ ତାଙ୍କ ରଣନୀତି ଓ ବ୍ୟକ୍ତିଗତ ସମ୍ପର୍କକୁ ସମ୍ମାନ ଦେଇଥାନ୍ତି । କୁହାଯାଏ ଯେ, ହିମନ୍ତ ବନ୍ଧୁଙ୍କ ବନ୍ଧୁ ଓ ଶତ୍ରୁଙ୍କ ଶତ୍ରୁ । ସେ ନିଜ ବନ୍ଧୁମାନଙ୍କୁ ସାହାଯ୍ୟ କରନ୍ତି ଓ ଶତ୍ରୁ ମାନଙ୍କୁ କେବେ ମଧ୍ୟ ଭୁଲନ୍ତି ନାହିଁ । ଆସାମରେ ତାଙ୍କ ପାଇଁ କଂଗ୍ରେସର ରାଜନୈତିକ ପତନ ଆରମ୍ଭ ହୋଇଛି ବୋଲି ରାଜନୈତିକ ବିଶ୍ଲେଷକ କୁହନ୍ତି ।