ଲକ୍‌ଡ଼ାଉନ୍ କୁ ନେଇ ନିର୍ଦେଶ ପରିବର୍ତନ କଲେ ହାଇକୋର୍ଟ

ଭୁବନେଶ୍ୱର: ଗତକାଲି ଲକ୍‌ଡ଼ାଉନ୍ କୁ  ଦେଇଥିବା ନିର୍ଦ୍ଦେଶରେ ଆଂଶିକ ପରିବର୍ତନ କରି ସାନି ନିର୍ଦ୍ଦେଶନାମା ଜାରି କରିଛନ୍ତି ହାଇକୋର୍ଟ । ଏଥିରେ କୁହାଯାଇଛି କେବଳ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ବ୍ୟକ୍ତିମାନେ ଦୁଇଚକିଆ ଗାଡ଼ି ନେଇ ବଜାରକୁ ଯାଇ ପାରିବେ। ଏଥିସହ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ବାଇକ୍ ନେଇ କାର୍ଯ୍ୟକ୍ଷେତ୍ରକୁ ଯାଇପାରିବେ। ଏଥିଲାଗି ସେମାନଙ୍କୁ ପରିଚୟ ପତ୍ର କିମ୍ବା ଅନୁମତି ପତ୍ର ଦେଖାଇବାକୁ ପଡ଼ିବ।

ଗତକାଲି ହାଇକୋର୍ଟ ଏହି ସୁବିଧା ସମସ୍ତଙ୍କୁ ପ୍ରଦାନ କରିବା ସହ ପୁଲିସକୁ ତୁରନ୍ତ ସିଜ ହୋଇଥିବା ଗାଡ଼ି ଫେରାଇ ଦେବା ଲାଗି କହିଥିଲେ। ଚାଲିବା ଦୂରତାରେ ଅତ୍ୟାବଶ୍ୟକ ସାମଗ୍ରୀ ନ ମିଳିବା ପରିସ୍ଥିତିରେ ଦୁଇ ଚକିଆ ଯାନ ଚଳାଚଳ ଉପରେ ସଂପୂର୍ଣ୍ଣ କଟକଣା ଜାରି ହୋଇପାରିବ ନାହିଁ ବୋଲି ରାୟ ଦେଇଥିଲେ।

ସୂଚନାଯୋଗ୍ୟ, ଗତକାଲି ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶରେ ସଂଶୋଧନ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ୍ ଜେନେରାଲ୍ ଓ ସରକାରୀ ଓକିଲ ଆବେଦନ କରିଥିଲେ। ଏହି ଆବେଦନରେ ଦର୍ଶାଯାଇଥିଲା କି ଭୁବନେଶ୍ୱର ମହାନଗର ନିଗମ ଓ କଟକ ମହାନଗର ନିଗମ ପକ୍ଷରୁ ଭୁବନେଶ୍ୱର ଓ କଟକରେ ଅଧିକାଂଶ ସ୍ଥାନରେ ପାଦଚଲା ଦୂରତା ମଧ୍ୟରେ ଅସ୍ଥାୟୀ ବଜାର ବସାଯାଇଛି। ତେଣୁ ସମସ୍ତଙ୍କୁ ଦୁଇଚକିଆ ଯାନ ବ୍ୟବହାରର ଅନୁମତି ଲୋଡ଼ାନାହିଁ। ଏହା ସାମାଜିକ ଦୂରତାକୁ ଭଙ୍ଗ କରୁଛି। କେବଳ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମଙ୍କୁ ଏହି କୋହଳ ଦିଆଯାଉ। ଏହାର ଶୁଣାଣି କରି ଆଜି ହାଇକୋର୍ଟ ଏହି ସାନି ନିର୍ଦ୍ଦେଶନାମା ଜାରି କରିଛନ୍ତି।