କଟକ : ଓଡିଶା ହାଇକୋର୍ଟରେ ଦୁର୍ଗାପୂଜା ଅବକାଶ ଆରମ୍ଭ ହେବାକୁ ଯାଉଛି। ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଛୁଟି ହୋଇଥିବାବେଳେ ୩ ତାରିଖରୁ ଦୁର୍ଗାପୂଜା ଛୁଟି ଆରମ୍ଭ ହେବ। ଅକ୍ଟୋବର ୧୪ରେ କୋର୍ଟ ଖୋଲିବ। ଅବକାଶ ସମୟରେ ଅକ୍ଟୋବର ୪ ଓ ଅକ୍ଟୋବର ୧୧ରେ ଅବକାଶକାଳୀନ ଖଣ୍ଡପୀଠ ବସିବ। ଅକ୍ଟୋବର ୪ରେ ଜଷ୍ଟିସ ପ୍ରମଥ ପଟ୍ଟନାୟକ ଓ ଡକ୍ଟର ଜଷ୍ଟିସ ଏ.କେ.ମିଶ୍ର ଅବକାଶକାଳୀନ ଖଣ୍ଡପୀଠରେ ବସି ଜରୁରି ମାମଲା ଗୁଡିକର ଶୁଶାଣି କରିବେ। ସେହିପରି ଅକ୍ଟୋବର ୧୧ରେ କୁମାରୀ ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଡକ୍ଟର ଜଷ୍ଟିସ ଏ.କେ.ରଥ ଅବକାଶକାଳୀନ ଖଣ୍ଡପୀଠରେ ମାମଲା ଶୁଣାଣି କରିବେ। ୨୦୧୯, ଅକ୍ଟୋବର ୨ରୁ ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ଅବକାଶକାଳୀନ ବିଚାରପତି ଦାୟିତ୍ବରେ ଜଷ୍ଟିସ ପ୍ରମଥ ପଟ୍ଟନାୟକ ରହିବେ। ସେହିଭଳି ୨୦୧୯, ଅକ୍ଟୋବର ୬ ଓ ୭ ତାରିଖରେ ଡକ୍ଟର ଜଷ୍ଟିସ ବି.ଆର୍.ଷଡଙ୍ଗୀ, ଅକ୍ଟୋବର ୮ ଓ ୯ ତାରିଖରେ ଜଷ୍ଟିସ କେ.ଆର୍.ମହାପାତ୍ର, ଅକ୍ଟୋବର ୧୦ରୁ ୧୩ ତାରିଖ ପର୍ଯ୍ୟନ୍ତ କୁମାରୀ ଜଷ୍ଟିସ ସଞ୍ଜୁ ପଣ୍ଡା ଅବକାଶକାଳୀନ ବିଚାରପତି ଦାୟିତ୍ବରେ ରହିବେ ବୋଲି ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରୁ ସୂଚନା ମିଳିଛି। ଦୁର୍ଗାପୂଜା ଅବକାଶ ସମୟରେ ଅକ୍ଟୋବର ୩, ୪, ୯, ୧୦ ଓ ୧୧ ତାରିଖରେ ହାଇକୋର୍ଟ କାର୍ଯ୍ୟାଳୟ ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଖୋଲା ରହିବ। କାର୍ଯ୍ୟ ଦିବସରେ ଦିନ ୧୧ଟାରୁ ୧୨ଟା ମଧ୍ୟରେ ନୂଆ ମାମଲା ପଞ୍ଜୀକରଣ ପାଇଁ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି। ସେପ୍ଟେମ୍ବର ୨୩ ତାରିଖ ବା ତା’ ପରେ ଦାୟର କରାଯାଇଥିବା ମାମଲା ଗୁଡିକୁ ଜରୁରି ମାମଲା ଭାବେ ଗ୍ରହଣ କରାଯାଇ ଅବକାଶକାଳୀନ ଖଣ୍ଡପୀଠରେ ଶୁଣାଣି କରାଯିବ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।