ନୂଆଦିଲ୍ଲୀ: ଇସ୍ଲାମିକ ଷ୍ଟେଟ୍ସ(ଆଇଏସ୍) ଓ ଅଲ୍ କାଏଦାର ଆତଙ୍କବାଦୀମାନେ ନିକଟ ଭବିଷ୍ୟତରେ ଭାରତରେ ଆକ୍ରମଣ କରିପାରନ୍ତି ବୋଲି ଦୁଇଟି ଜାତୀୟ ଗୁଇନ୍ଦା ସଂସ୍ଥା ସର୍ତକ ସୂଚନା ଦେବା ପରେ ମୁମ୍ବାଇ, ଗୋଆ ଓ ଦିଲ୍ଲୀରେ ହାଇ ଆର୍ଲର୍ଟ ଜାରି ହୋଇଛି। ପୂର୍ବରୁ ନ୍ୟୁଜିଲାଣ୍ଡ୍ର ଖ୍ରୀଷ୍ଟଚର୍ଚରେ ହୋଇଥିବା ଆକ୍ରମଣ ସଂପର୍କରେ ମଧ୍ୟ ଚେତାବନୀ ମିଳିଥିଲା। ସେହି ଆକ୍ରମଣରେ ୫୦ ଜଣଙ୍କ ଜୀବନ ଯାଇଥିଲା। ପ୍ରଥମ ଗୁଇନ୍ଦା ସଂସ୍ଥା ସୂଚନା ଦେଇ କହିଛି କି ଇସ୍ଲାମିକ୍ ଷ୍ଟେଟ୍ ଆତଙ୍କବାଦୀ ଆକ୍ରମଣରେ ଛୁରୀ ଓ ଯାନର ବ୍ୟବହାର କରିପରନ୍ତି। ଏହି କାରଣରୁ ମୁମ୍ବାଇଠାରେ ଥିବା ବାଣିଜ୍ୟିକ ଦୂତବାସ ଆଖପାଖରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଦ୍ୱିତୀୟ ସଂସ୍ଥା ଚେତାବନୀ ଦେଇ କହିଛି ଯେ ଅଲ୍ କାଏଦାର ଆତଙ୍କବାଦୀମାନେ ଗୋଆକୁ ଆସୁଥିବା ଇସ୍ରାଏଲ୍ ପର୍ଯ୍ୟଟକ ଓ ଉତ୍ତର ଗୋଆର ଜିଉମାନେ ରହୁଥିବା ଚାବଡ଼ ହାଉସ୍ ଅଞ୍ଚଳରେ ଆକ୍ରମଣ ଘଟାଇପାରନ୍ତି। ଇସ୍ଲାମିକ ଷ୍ଟେଟ୍ସ(ଆଇଏସ୍) ଓ ଅଲ୍ କାଏଦାର ଆତଙ୍କବାଦୀମାନେ ଆକ୍ରମଣ କରିବା ଯୋଜନା କରିଥିବା ହେତୁ ଉତ୍ତର ଗୋଆରେ ଥିବା ଇସ୍ରାଏଲ୍ ପର୍ଯ୍ୟଟକଙ୍କ ପ୍ରାର୍ଥନା ଗୃହରେ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ନ୍ୟୁଜିଲାଣ୍ଡ୍ର ମସ୍ଜିଦ ମଧ୍ୟରେ ହୋଇଥିବା ଆକ୍ରମଣର ପ୍ରତିଶୋଧ ନେବାକୁ ଇସ୍ଲାମିକ ଷ୍ଟେଟ୍ସ(ଆଇଏସ୍) ଓ ଅଲ୍ କାଏଦା ଆତଙ୍କବାଦୀ ଏହି ଆକ୍ରମଣ ଯୋଜନା କରୁଥିବା ଗୋଆ ପୁଲିସ୍ ସୂଚନା ଦେଇଛି।
ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ମାର୍ଚ ୧୫ ତାରିଖରେ ନ୍ୟୁଜିଲାଣ୍ଡ୍ର ଖ୍ରୀଷ୍ଟଚର୍ଚ ଭିତରେ ହୋଇଥିବା ଗୁଳିକାଣ୍ଡରେ ପୂରା ବିଶ୍ୱ ସ୍ତବ୍ଧ ପାଲଟି ଯାଇଥିଲା। ଏହି ଆକ୍ରମଣ ଅଷ୍ଟ୍ରେଲିଆର ୨୯ ବର୍ଷିଅ ଯୁବକ ବ୍ରେଣ୍ଟନ୍ ଟରାଣ୍ଟ୍ ଘଟାଇଥିଲା। ଆକ୍ରମଣରେ ୫୦ ଜଣଙ୍କ ଜୀବନ ଯିବା ସହ ୫୦ରୁ ଊର୍ଧ୍ୱ ଗୁରୁତର ଆହତ ହୋଇଥିଲେ।