ଗିନିଜ ଓ୍ବାଲର୍‌ଡ ରେକର୍ଡ ବୁକ୍‌ରେ ଅଷ୍ଟ୍ରେଲୀୟ ଉଇକେଟ୍‌କିପର ହେଲୀ

ମେଲବୋର୍ନ: ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍‌ ଦଳର ଉଇକେଟ୍‌କିପର ଆସଲୀ ହେଲୀ ସର୍ବାଧିକ ଉଚ୍ଚତାରୁ କ୍ୟାଚ୍‌ ନେଇ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ ବୁକ୍‌ରେ ନିଜ ନାମକୁ ସ୍ଥାନିତ କରିଛନ୍ତି। ସ୍ଥାନୀୟ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଗୁରୁବାର ହେଲୀ ଏହି ରେକର୍ଡ ପ୍ରତିଷ୍ଠା କରିଥିଲେ। ଏକ ଡ୍ରୋନରେ ବଲ ରଖାଯାଇ ଏହାକୁ ଉପରକୁ ଛଡ଼ା ଯାଇଥିଲା। ୮୦ ମିଟର ଉପରୁ ବଲ୍‌କୁ ଛଡ଼ା ଯାଇଥିବାବେଳେ ଗ୍ରାଉଣ୍ଡରେ ଗ୍ଲୋଭ୍ସ ପିନ୍ଧି ଠିଆହୋଇଥିବା ହେଲୀ ଏହାକୁ କ୍ୟାଚ୍‌ ନେଇ ରେକର୍ଡର ଅଧିକାରୀ ହୋଇଥିଲେ। ଅବଶ୍ୟ ହେଲୀ ତାଙ୍କର ପ୍ରଥମ ଦୁଇ ପ୍ରୟାସରେ ବିଫଳ ହୋଇଥିବାବେଳେ ୩ୟ ଥରରେ ସେ ଏହି ସଫଳତା ପାଇଥିଲେ। ପୂର୍ବରୁ ଏହି ରେକର୍ଡ ଇଂଲଣ୍ଡ କ୍ରିଷ୍ଟେନ ବୌମଗାର୍ଟରଙ୍କ ନାମରେ ଥିଲା। କ୍ରିଷ୍ଟେନ ୨୦୧୬ରେ ୬୨ ମିଟର ଉଚ୍ଚତାରୁ କ୍ୟାଚ୍‌ ନେଇଥିଲେ। ତାଙ୍କ ପୂର୍ବରୁ ପ୍ରାକ୍ତନ ଇଂଲଣ୍ଡ ଅଧିନାୟକ ନାସିର ହୁସେନ (୪୯ ମିଟର) ମଧ୍ୟ ଏହି ରେକର୍ଡର ଅଧିକାରୀ ହୋଇଥିଲେ। ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ ଆରମ୍ଭ ହେବାକୁ ଆଉ ଏକ ବର୍ଷ ସମୟ ରହିଥିବାବେଳେ ହେଲୀଙ୍କ ଏହି ରେକର୍ଡ ମହିଳା କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢ଼ାଇବାରେ ସହାୟକ ହେବ ବୋଲି ଆଶା କରାଯାଉଛି।