ଜୁଲାଇ ୧୦ରୁ ଆନ୍ଦୋଳନ କରିବ ବିଜେଡି

ଭୁବନେଶ୍ୱର: ଧାନ ବିକ୍ରୟର ସହାୟକ ମୂଲ୍ୟ ବୃଦ୍ଧିରେ କେନ୍ଦ୍ର ସରକାର କୃଷକମାନଙ୍କୁ ପ୍ରତାରିତ କରିଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି। ବାରମ୍ବାର ଦାବି ପରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ମାତ୍ର ୮୦ ଟଙ୍କା ବୃଦ୍ଧି କରାଯାଇଛି । ଯାହାକି ଚାଷୀକୂଳକୁ କେନ୍ଦ୍ର ସରାକରଙ୍କ ଉପହାସ ବୋଲି କହିଛି ବିଜେଡି କୃଷକ ମୋର୍ଚ୍ଚା । କେନ୍ଦ୍ର ସରକାର ଏହି ଘୋଷଣାର ପୂନଃବିଚାର ନ କଲେ ଜୁଲାଇ ୧୦ରୁ ୧୮ ତାରିଖ ଯାଏଁ ସପ୍ତାହେ ବ୍ୟାପୀ ରାଜ୍ୟର ୩୧୪ ବ୍ଲକରେ ଧାରଣା ଦେଇ ବିଜୁ କୃଷକ ଜନତା ଦଳ ବିକ୍ଷୋଭ କରିବ ବୋଲି ଏକ ପ୍ରେସ୍‌ ବିବୃତ୍ତିରେ ଜଣାଇଛନ୍ତି ବିଜେଡି ଉପ ସଭାପତି ଦେବୀ ପ୍ରସାଦ ମିଶ୍ର, ସୂର୍ଯ୍ୟନାରାୟଣ ପାତ୍ର ଓ ବିଜୁ କୃଷକ ସାମ୍ମୁଖ୍ୟ ଆବାହକ ସୁଶାନ୍ତ ସିଂହ। 

ସୂଚନାଯୋଗ୍ୟ, ସମ୍ପ୍ରତି ରାଜ୍ୟରେ ସାର ପ୍ରୟୋଗ ୬୦ ପ୍ରତିଶତ ବୃଦ୍ଧି ହୋଇଥିବା ବେଳେ ବିହନ ପ୍ରତିବଦଳ ହାର ୩୬ପ୍ରତିଶତ ହୋଇଛି। ରାଜ୍ୟ ସରକାର କୃଷି ଅଭିବୃଦ୍ଧି ସମ୍ପର୍କରେ ନେଇଥିବା ପଦକ୍ଷେପ ସ୍ୱରୁପ ଏନ୍‌ଏସ୍‌ଏସ୍‌ଓ ରାଜ୍ୟକୁ ପ୍ରଶଂସା ପତ୍ର ପଦାନ କରିଛି। ଏହି କ୍ରମରେ ଚାଷୀଙ୍କ ମୁଣ୍ଡପିଛା ଆୟ ଦ୍ୱିଗୁଣିତ ହୋଇଥିବରୁ ରାଜ୍ୟ ସରକାରଙ୍କ କାର୍ଯ୍ୟ ପ୍ରଶଂସନୀୟ ବୋଲି କହିଛି ଏହି ସଙ୍ଗଠନ। ଏହି ଧାରା ବଜାଏ ରଖିବାକୁ ଚାଷୀଙ୍କ ରୋଜଗାରରେ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ହେବା ନିତାନ୍ତ ଅବାଶ୍ୟକ । ଏହି ମୂଲ୍ୟ ଦ୍ୱିଗୁଣିତ କରି ଦେବାକୁ ପୂର୍ବରୁ ଭାଜପା ସରକାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏବେ ପଛଘୁଞ୍ଚ ଦେଉଥିବା ବିଜେଡି ଅଭିଯୋଗ କରିଛି । ଗତ ୩ ବର୍ଷ ଧରି ରାଜ୍ୟ ସରକାର ଏହାକୁ ୨୫୦୦ ଓ ୨୯୩୦ ଟଙ୍କା କରିବା ପାଇଁ ଅନୁରୋଧ କରିଥିଲେ ବି କ୍ରମାନ୍ଵୟରେ କେନ୍ଦ୍ର ସରକାର ୫୦, ୬୦ ଓ ୮୦ ଟଙ୍କା ବୃଦ୍ଧି ଘୋଷଣା କରିଛନ୍ତି । ଯାହା ଚାଷୀଙ୍କ ପ୍ରତି ସମ୍ପୂର୍ଣ୍ଣ ଅନ୍ୟାୟ ବୋଲି ଦଳ ପକ୍ଷରୁ ବିବୃତ୍ତିରେ କୁହାଯାଇଛି ।