ଉତର ଭାରତରେ ଶୀତର ଲହରି: ଟ୍ରେନ୍ ଓ ବିମାନ ଚଳାଚଳ ବାଧାପ୍ରାପ୍ତ

ନୂଆଦିଲ୍ଲୀ: ଉତର ଭାରତରେ ଶୀତର ଲହରି ଦେଖିବାକୁ ମିଳିଛି । ଚଳିତ ବର୍ଷ ଉତର ଭାରତର ଶୀତ ଗତବର୍ଷର ସମସ୍ତ ରେକର୍ଡ ଭାଙ୍ଗିଛି । ଶୀତ ପରିମାଣ ଏତେ ରହିଛି ଯେ, ଟ୍ରେନ୍ ଓ ବିମାନ ଚଳାଚଳରେ ବାଧାପ୍ରାପ୍ତ ହେଉଛି ।

ଶ୍ରୀନଗରରେ ତାପମାତ୍ରା ବିଯୁକ୍ତ ୪.୩ ଡିଗ୍ରି ସେଲସିୟସ ରହିଥିବା ବେଳେ ବିଭିନ୍ନ ସ୍ଥାନରେ ଜଳ ଯୋଗାଣ ଲାଇନ୍‌ ବରଫ ପାଲଟି ଯାଇଥିବାରୁ ଲୋକଙ୍କ ସମସ୍ୟା ବଢ଼ିଯାଇଛି। ଉତର କଶ୍ମୀରର ଗୁଲ୍‌ମାର୍ଗରେ ତାପମାତ୍ରା ବିଯୁକ୍ତ ୯.୦ ଡିଗ୍ରି ରହିଛି। କଶ୍ମୀରରେ ବରଫପାତ ଜାରି ରହିଥିବା ବେଳେ କାରଗିଲ ସହର ରାଜ୍ୟର ସର୍ବାଧିକ ଶୀତଳ ସହର ପାଲଟିଛି ଏବ˚ ଏଠାରେ ରାତିର ତାପମାତ୍ରା ବିଯୁକ୍ତ ୧୬ ଡିଗ୍ରି ସେଲ୍‌ସିୟସ ରହିଛି। ପଂଜାବ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ, ଉତରପ୍ରଦେଶ ଏବଂ ଉତର ରାଜସ୍ଥାନରେ ପ୍ରବଳ ଶୀତ ଅନୁଭୂତ ହେଉଛି। ରାଜସ୍ଥାନର ସିକରରେ ଆଜି ତାପମାତ୍ରା ଶୂନ ଡିଗ୍ରିକୁ ଖସିଯାଇଛି। ରାଜସ୍ଥାନ‌ର ପିଲାନୀରେ ତାପମାତ୍ରା ୦.୫ ଡିଗ୍ରି ସେଲସିୟସ ରହିଛି। ଚୁରୁରେ ତାପମାତ୍ରା ୧.୩ ଡିଗ୍ରି ରହିଛି। ହରିୟାଣାର ନରନୌଲରେ ତାପମାତ୍ରା ୨.୫ ଡିଗ୍ରି ସେଲସିୟସ ରହିଥିବା ବେଳେ ରୋହତକରେ ତାପମାତ୍ରା ୩.୪ ଡିଗ୍ରିକୁ ଖସି ଆସିଛି।

ଦିଲ୍ଲୀ ଏନ୍‌ସିଆରରେ ମଧ୍ୟ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଗତ ୧୪ ତାରିଖରୁ ଦିଲ୍ଲୀ ଏନ୍‌ସିଆରରେ ଶୀତର ପ୍ରକୋପ ବଢ଼ିଛି। ମିଳିଥିବା ସୂଚନାନୁଯାୟୀ ପଶ୍ଚିମ ଜଳବାୟୁ ପ୍ରଭାବ ଯୋଗୁଁ ଦିଲ୍ଲୀ ଏନ୍‌ସିଆର‌ରେ ଆସନ୍ତା ୩୧ରୁ ପବନର ଗତି ବଢ଼ିବ। ଡିସେମ୍ବର ୩୧ ଏବଂ ଜାନୁଆରି ୧, ୨୦୨୦ରେ ଦିଲ୍ଲୀ ଏନ୍‌ସିଆରରେ ବର୍ଷା ସମ୍ଭାବନା ରହିଛି। ଡିସେମ୍ବର ୧୬ ତାରିଖରୁ ଦିଲ୍ଲୀରେ ସମୁଦାୟ ୯ ଦିନ ପ୍ରବଳ ଥଣ୍ଡା ଅନୁଭୂତ ହୋଇଛି। ଆଇଏମ୍‌ଡି ସୂଚନାନୁଯାୟୀ ପଂଜାବ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ, ଉତରପ୍ରଦେଶ ଏବଂ ଉତର ରାଜସ୍ଥାନରେ ଏବେ ପ୍ରବଳ ଶୀତ ଅନୁଭୂତ ହେଉଛି । ସେପ‌‌ଟେ ହିମାଚଳ ପ୍ରଦେଶର କେଲୋଙ୍ଗ୍‌‌ରେ ତାପମାତ୍ରା ବିଯୁକ୍ତ ୧୨.୪ ଡିଗ୍ରୀ ରହିଛି। ହିମାଚଳରେ ଭୟଙ୍କର ଥଣ୍ଡା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ରାଜ୍ୟର ବିଭିନ୍ନ ଅ˚ଚଳରେ ତାପମାତ୍ରା ୦ରୁ ୩.୬ ଡିଗ୍ରି ସେଲ୍‌ସିୟସ ରହିଛି` ହରିୟାଣାର ହିସାର୍‌ରେ ତାପମାତ୍ରା ୪.୧ ଡିଗ୍ରି, ପଂଜାବର ଫରିଦକୋଟରେ ୪.୬ ଡିଗ୍ରି, ଲୁଧିଆନାରେ ୫.୫ ଡିଗ୍ରି, ପଟିଆଲାରେ ୫.୮ ଡିଗ୍ରି, ବଥିନ୍ଦାରେ ୫.୯ ଡିଗ୍ରି, ଆଦମପୁରରେ ୭.୨ ଡିଗ୍ରି ଏବଂ ଅମୃତସରରେ ତାପମାତ୍ରା ୬.୫ ଡିଗ୍ରି ରହିଛି। ତେବେ ଦିଲ୍ଲୀରେ ପ୍ରବଳ ଥଣ୍ଡା ଏବଂ କୁହୁଡ଼ି ଯୋଗୁଁ ଅନେକ ବିମାନ ଏବଂ ଟ୍ରେନ୍‌ ବିଳମ୍ବରେ ଚାଲୁଛି। ଆଜି ସକାଳେ ଦିଲ୍ଲୀକୁ ପ୍ରାୟ ୨୫ଟି ଟ୍ରେନ୍‌ ୨ ଘଂଟା ବିଳମ୍ବରେ ଆସିଥିବା ଜଣାପଡ଼ିଛି। ସେହିପରି ଅନେକ ବିମାନ ମଧ୍ୟ ବାତିଲ ହୋଇଥିବା ସୂଚନା ମିଳିଛି।