ଲଘୁଚାପ ଘନିଭୂତ,ଆଜୁିଠୁ ୩୧ ଯାଏ ବର୍ଷିବ, ଜିଲ୍ଲାପାଲଙ୍କୁ ସତର୍କତା,ଚାଷୀଙ୍କୁ ପରାମର୍ଶ୍ୟ

ଭୁବନେଶ୍ୱର :  ପଶ୍ଚିମ-କେନ୍ଦ୍ର ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ  ପ୍ରଭାବରେ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ବର୍ଷା ପରିମାଣ କେତେକ ସ୍ଥାନରେ ୫ରୁ ୧୦ ସେ ମିଟରକୁ ମଧ୍ୟ ଛୁଇଁପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏଥିନେଇ ସମୁଦ୍ର ଅଶାନ୍ତ ରହୁଥିବାରୁ ପାଣିପାଗ ବିଭାଗ ପକ୍ଷରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ପ୍ରବେଶ ଉପରେ କଟକଣା ଲଗାଯାଇଛି ।

ଭାରତ ପାଣିପାଗ ବିଭାଗ ସୂଚନା ଅନୁସାରେ ପଶ୍ଚିମକେନ୍ଦ୍ର ବଙ୍ଗୋପସାଗର ଉପରେ ସମୁଦ୍ର ପତ୍ତନଠାରୁ ୫.୮ କିମି ଉପରେ ଏକ ସାମୁଦ୍ରିକ ଝଡ଼ ଅବସ୍ଥାନ କରିଛି । ଏହାର ପ୍ରଭାବରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ପରିପାଶ୍ୱର୍ରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ଆଶଙ୍କା ରହିଛି । ଯାହାଫଳରେ ଆନ୍ଧ୍ରପ୍ରଦେଶ, ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ୨୯ ତାରିଖରୁ ବର୍ଷା ହେବାର ଆଶଙ୍କା ରହିଛି । ଆଜିଠାରୁ ମଧ୍ୟ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଝିପିଝିପି ବର୍ଷା ଆରମ୍ଭ ହୋଇଛି । ଦିନତମାମ ଆଜି ମେଘୁଆ ପାଗ ରହିଛି । ଏହି ପରିସ୍ଥିତି ୩୦ ତାରିଖରେ ଅଧିକ ଘନୀଭୂତ ହେବ ଏବଂ ଏହି ଦିନ ବର୍ଷା ପରିମାଣ ବଢ଼ିବା ଆଶଙ୍କା ରହିଛି । ୩୧ ତାରିଖ ଯାଏଁ ବର୍ଷା ଲାଗିରହିବ । ୧୦ରୁ ୧୫ କିଲୋମିଟର ବେଗରେ ପବନ ବୋହିବ ବୋଲି ଅନୁମାନ କରାଯାଇଛି ।

କୃଷକ ଓ ଜିଲ୍ଲାପାଳଙ୍କୁ ସତର୍କ ସୂଚନା :

ବର୍ଷା ହେତୁ ବନ୍ୟା ଓ କୃଷିଜନିତ କ୍ଷୟକ୍ଷତି ଆଶଙ୍କା ଥିବାରୁ ଯୁଗ୍ମ ରିଲିଫ୍ କମିଶନର ପ୍ରଭାତ ମହାପାତ୍ର ସତର୍କ ସୂଚନା ଜାରି କରିଛନ୍ତି । ଉପକୂଳବର୍ତ୍ତୀ ଜିଲ୍ଲା ବିଶେଷକରି ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ତିତ୍ଲି ବାତ୍ୟା ଦ୍ୱାରା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଗଜପତି ଜିଲ୍ଲାରେ ପରିସ୍ଥିତି ଉପରେ ବିଶେଷ ନଜର ରଖିବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦିଆଯାଇଛି । ସେହିପରି କୃଷି ବିଭାଗ ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ ପକ୍ଷରୁ ମଧ୍ୟ କୃଷକମାନଙ୍କ ପାଇଁ ଆବଶ୍ୟକ ପରାମର୍ଶ ଜାରି କରାଯାଇଛି । ଫସଲ ଯଦି ଫୁଲ ଧରିଛି ଏବଂ ତାହା ଲାଲ୍ ରଙ୍ଗରେ ରହିଛି ତେବେ ତା’ ପ୍ରତି ବିପଦ ଆସିପାରେ ।

ଏହିଭଳି ପରିସ୍ଥିତିରେ ଜୋର ବର୍ଷା ହେଲେ ଗଛ ନଈ ପଡ଼ିବାର ଆଶଙ୍କା ରହିଛି । ଏ ପରିସ୍ଥିତିରୁ ରକ୍ଷା କରିବା ଲାଗି ଲୁଣ ପାଣି ସିଞ୍ଚନ କରିବାକୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି । ଅପରପକ୍ଷେ କୃଷି ସଚିବ ସୌରଭ ଗର୍ଗ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନେଇ ସମୀକ୍ଷା କରିଥିଲେ । ଏହାପରେ ଗଣମାଧ୍ୟମକୁ କହିଛନ୍ତି ଯେ, ସରକାରଙ୍କ ପକ୍ଷରୁ କୃଷକମାନଙ୍କୁ ଆବଶ୍ୟକ ସହାୟତା ଦେବାର ବ୍ୟବସ୍ଥା କରାଯାଇଛି । ଯେହେତୁ ବର୍ଷା ପରବର୍ତ୍ତୀ ସମୟରେ ବାୟୁମଣ୍ଡଳର ଉଷ୍ମତା ବଢ଼ିବ ସେହି ସମୟରେ କୀଟ ଆକ୍ରମଣ ଆଶଙ୍କା ରହିଛି । ଏଥିପ୍ରତି ସତର୍କ ରହିବା ତଥା କୃଷକମାନଙ୍କୁ ଆବଶ୍ୟକ କୀଟନାଶକ ଯୋଗାଇ ଦେବାର ବ୍ୟବସ୍ଥା ହୋଇଛି । କୃଷକ ସହାୟତା କେନ୍ଦ୍ରକୁ ଏଥିନେଇ ପଦକ୍ଷେପ ନେବାକୁ କୁହାଯାଇଛି ।