ଆସୁଛି ଲଘୁଚାପ,ଆଜିଠୁ ୪ ଦିନ ବର୍ଷିବ !

ଭୁବନେଶ୍ୱର : ଆଜିିଠାରୁ ୪ ଦିନ ବର୍ଷା ଲାଗି ରହିବ । ପଶ୍ଚିମ ଓ କେନ୍ଦ୍ରୀୟ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆଜି ଠାରୁ ୨୧ ତାରିଖ ଯାଏ ଅଧିକ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଲଘୁଚାପ ପ୍ରଭାବରେ ଉପକୂଳ ଓ ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲି ସନ୍ଧ୍ୟା ବା ବୁଧବାର ସକାଳ ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ । ୨୦ ତାରିଖରେ ଲଘୁଚାପ ଅବପାତର ରୂପ ନେଇପାରେ । ଏହାର ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି ।

୨୦ ତାରିଖ ରାତିରୁ ୨୧ ତାରିଖ ସକାଳ ପର୍ଯ୍ୟନ୍ତ କନ୍ଧମାଳ, ବଲାଙ୍ଗିର, ବୌଦ୍ଧ, କଳାହାଣ୍ଡି, ସୋନପୁର, ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ନୟାଗଡ଼, ରାୟଗଡ଼ା, ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା ଭଳି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଲଘୁଚାପ ପ୍ରଭାବରେ ଆସନ୍ତା ୧୯ରାତିରୁ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇ ୨୧ ତାରିଖ ରାତି ଯାଏ ବର୍ଷିବ । ୨୨ ତାରିଖରେ ଏହା ଉତ୍ତର-ପଶ୍ଚିମ ଓଡ଼ିଶାରୁ ଦକ୍ଷିଣ ଛତିଶଗଡ଼ ଦିଗରେ ଗତି କରିବ । ୨୩ ତାରିଖରେ ଓଡ଼ିଶାରେ ବର୍ଷା କମିଯିବ ଏବଂ ପାଗ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଆଜି ବଲାଙ୍ଗିରରେ ୭୦ ମିମି ବର୍ଷା ହୋଇଥିଲା ବେଳେ ଟିଟିଲାଗଡ଼ରେ ୩୮ ମିମି, ସମ୍ବଲପୁରରେ ୩୨.୬ ମିମି, ଅନୁଗୁଳୁରେ ୨୪.୮ ମିମି ବର୍ଷା ହୋଇଛି ।