କାଲିଠୁ ଦକ୍ଷିଣ ଓଡ଼ିଶା ସହ ଉପକୂଳ ଓଡ଼ିଶାରେ ପ୍ରବଳ ଛେଚିବ : ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ଏସ୍‌ଆରସିଙ୍କ ନିର୍ଦ୍ଦେଶ

୧୨ ତାରିଖ ସକାଳ ଯାଏ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର :ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ରାଜ୍ୟରେ କାଲିଠାରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଦକ୍ଷିଣରୁ ଉପକୂଳ ଓଡିଶାରେ​‌​‌ ଦେଖିବାକୁ ମିଳିବ ଲଘୁଚାପ ବର୍ଷାର ତାଣ୍ଡବ । ଲଘୁଚାପ ଘନୀଭୂତ ହୋଇ ଉଏଲ-ମାର୍କ ଲୋ ପ୍ରସେରରେ ପରିଣତ ହୋଇଛି । ଆଗାମୀ ୨୪ ଘଣ୍ଟାରେ କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ଘନୀଭୂତ ହୋଇ ଡିପ୍ରେସନର ବା ଅବପାତର ରୂପନେବାର ସମ୍ଭାବନା ରହିଛି । ୧୨ ତାରିଖ ସକାଳ ଯାଏ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । କାଲିଠୁ ଦକ୍ଷିଣ ଓଡ଼ିଶା ସହ ଉପକୂଳ ଓଡ଼ିଶାରେ ପ୍ରବଳ ଛେଚିବ । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଡିପ୍ରେସନ ବା ଅବପାତର ରୂପ ନେଇ ସାରିଛି । ଏହାର ପ୍ରଭାବରେ ଦକ୍ଷିଣ ଓଡିଶା ସାଙ୍ଗକୁ ଉପକୁଳ ଓଡିଶାରେ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଲଘୁଚାପ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିକରି ୧୨ ତାରିଖ ସକାଳ ସମୟରେ ଉତ୍ତର- ଆନ୍ଧ୍ର ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି।
ଆସନ୍ତା ୨୪ ଘଣ୍ଟା ଭିତରେ ଏହା ତୀବ୍ର ଅବପାତ ବା ଡିପ୍‌ ଡିପ୍ରେସନ୍‌ରେ ପରିଣତ ହେବାର ସମ୍ଭାବନା ରହିଛି । ତେବେ ଓଡ଼ିଶା ଅପେକ୍ଷା ଆନ୍ଧ୍ରପ୍ରଦେଶ ଉପରେ ଏହାର ଅଧିକ ପ୍ରଭାବ ପଡ଼ିବା ସମ୍ଭାବନା ରହିଛି । ଲଘୁଚାପ ୧୨ ତାରିଖ ରାତିରେ ଉତ୍ତର ଆନ୍ଧ୍ର ଉପକୁଳ ନରସପୁର ଓ ବିଶାଖାପାଟଣା ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି । ତେଣୁ ୧୨ ତାରିଖ ସକାଳ ପର୍ଯ୍ୟନ୍ତ ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ଓ ରାୟଗଡା ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲା ଗୁଡ଼ିକରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ମତ୍ସ୍ୟଜୀବୀଙ୍କୁ ୧୩ ଯାଏଁ ସମୁଦ୍ର ଯିବାକୁ ବାରଣ କରାଯାଇଛି ।
କାଲିଠାରୁ ୧୩ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଉପକୂଳ, ଉତ୍ତର ଉପକୂଳ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ୫ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଓ ୯ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅରେଞ୍ଜ ୱାର୍ଣିଂ ଜାରି ଜିଲ୍ଲାଗୁଡିକ ହେଲା ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, ମାଲକାନଗିରି । ସେହିପରି ୟେଲୋ ୱାର୍ଣ୍ଣିଂ ଜାରି ଜିଲ୍ଲା ଗୁଡିକ ହେଲା ନବରଙ୍ଗପୁର, କନ୍ଧମାଳ, ପୁରୀ, ନୟାଗଡ, ଖୋର୍ଦ୍ଧା, , ଜଗତସିଂପୁର, କେନ୍ଦ୍ରାପଡା, ଭଦ୍ରକ ଓ କଟକ । ଏଠାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି ।
ଓଡ଼ିଶା ଉପକୂଳରେ ଘଣ୍ଟା ପ୍ରତି ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିବା ସହ ମଝିରେ ମଝିରେ ୬୫ କିଲୋମିଟର ବେଗରେ ପବନ ବୋହିପାରେ । ଗୋପାଳପୁର ବନ୍ଦରରେ ତିନି ନମ୍ବର ସତର୍କ ସଙ୍କେତ ଦିଆଯାଇଥିବା ବେଳେ ରାଜ୍ୟର ଅନ୍ୟ ବନ୍ଦର ପାଇଁ ୧ ନମ୍ବର ସତର୍କ ସଂକେତ ଦିଆଯାଇଛି । ଅକ୍ଟୋବର ୧୪ରେ ଆଉ ଏକ ଲଘୁଚାପ ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଅକ୍ଟୋବର ମାସରେ ସମୁଦ୍ରର ତାପାମାତ୍ରା ୨୭ ଡିଗ୍ରିରୁ ଅଧିକ ରହୁଥିବାରୁ ଅକ୍ଟୋବରରେ ବାରମ୍ବାର ଲଘୁଚାପ ସୃଷ୍ଟି ହୋଇଥାଏ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ।
ଲଘୁଚାପ ସ୍ଥିତି ମୁକାବିଲା ପାଇଁ ଅରେଞ୍ଜ ଓ ୟେଲୋ ୱାର୍ଣିଂ ଦିଆଯାଇଥିବା ଜିଲ୍ଲାଗୁଡିକର ଜିଲ୍ଲାପାଳମାନଙ୍କୁ ସତର୍କ ଓ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍‌ଆରସି । ଗତ ୨୪ ଘଣ୍ଟା ମଧ୍ୟରେ ମାଲାକାନଗିରିରେ ୪୨.୩ ମିଲିମିଟର ଓ ମାଥିଲିରେ ୬୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।