ଆଜିଠାରୁ ପୁଣି ତିନି ଦିନ ବର୍ଷା !

ଭୁବନେଶ୍ୱର : ପଶ୍ଚିମ କେନ୍ଦ୍ର ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବ । ଫଳରେ ଉପକୂଳ ଅଞ୍ଚଳରେ ରବିବାର ଠାରୁ ୩୦ ତାରିଖ ଯାଏ ୩ ଦିନ ଧରି ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ୨୪ରୁ ୪୮ ଘଣ୍ଟା ମଧ୍ୟରେ ଏହା ଲଘୁଚାପର ରୂପ ନେଇପାରେ । ଲଘୁଚାପ ସୃଷ୍ଟି ହେବା ପରେ ଏହା ଉତ୍ତର ବା ଉତ୍ତର ପୂର୍ବ ଦିଗରେ ଗତି କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଅଧିକ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚଆର୍ ବିଶ୍ୱାସ ସୂଚନା ଦେଇଛନ୍ତି । ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହିବାର ଆଶଙ୍କା ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି । ଉପକୂଳ ଓଡ଼ିଶାର କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଗଞ୍ଜାମ, ପୁରୀ, କଟକ, ଯାଜପୁର, ଭଦ୍ରକ ଆଦି ଜିଲ୍ଲାରେ ୨୯ରୁ ୩୦ ମଧ୍ୟରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି ।