ଆସୁଛି ଆଉ ଏକ ବଡ଼ ବର୍ଷା, ୨୮ ଯାଏ ୨୪ଟି ଜିଲ୍ଲାରେ ପ୍ରବଳ ନାଦିବ

ଭୁବନେଶ୍ୱର, : ଗତ ୨ ମାସ ଧରି କ୍ରମାଗତ ଭାବେ ରାଜ୍ୟରେ ବର୍ଷା ଲାଗି ରହିଥିବା ବେଳେ ପୁଣି ଆସୁଛି ଆଉ ଏକ ବଡ଼ ବର୍ଷା । ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ରମଶଃ ଘନୀଭୂତ ହୋଇ ଉପକୂଳ ଆଡ଼କୁ ଗତି କରୁଥିବାରୁ ଏହାର ପ୍ରଭାବରେ ଆଜିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି । ଆସନ୍ତା ୨୮ ତାରିଖ ଯାଏ ରାଜ୍ୟ ବ୍ୟାପୀ ବର୍ଷା ଲାଗି ରହିବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।

୨୮ତାରିଖ ଯାଏ ୨୪ଟି ଜିଲ୍ଲାରେ ପ୍ରବଳ ବର୍ଷା ଓ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଖୋର୍ଦ୍ଧା, କଟକ, ପୁରୀ, ଗଞ୍ଜାମ, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ରାୟଗଡ଼ା, ଗଜପତି, କନ୍ଧମାଳ, ନୟାଗଡ଼, କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ନୂଆପଡ଼ା, ବଲାଙ୍ଗିର, ବୌଦ୍ଧ, ସୋନପୁର, ଦେବଗଡ଼, ସମ୍ବଲପୁର, ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଅପରପକ୍ଷରେ ପଶ୍ଚିମ ଓ ଉତ୍ତର ଭାରତ ଉପରେ ସେପ୍ଟେମ୍ବର ୫ରୁ ଅଧିକ ଘୂର୍ଣ୍ଣିବଳୟ ରହିଥିବା ନେଇ ପୂର୍ବରୁ ସତର୍କ କରାଇଥିଲା ପାଣିପାଗ ବିଭାଗ ।

ଓଡ଼ିଶା ଉପରେ ଏହାର ପ୍ରଭାବ ପଡ଼ିବନାହିଁ । ଲଘୁଚାପ ପ୍ରଭାବରେ ଉତ୍ତର, ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ୨୯ ତାରିଖ ଯାଏ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି । ସକାଳୁ ଉପକୂଳ ଓ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷାର ଆଶଙ୍କା ରହିଛି ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।