ହଠାତ୍ ବର୍ଷା; ଭିଜିଲା ରାଜଧାନୀ

ଭୁବନେଶ୍ୱର: ଆଜି ରାଜଧାନୀରେ ହଠାତ୍ ବର୍ଷା ଯୋଗୁଁ ରାଜଧାନୀ ରାସ୍ତାରେ ବର୍ଷା ପାଣି ଜମାଟ ବାନ୍ଧିଥିବାର ଦେଖିବାକୁ ମିଳିଛି । ରାଜଧାନୀ ଓ ଏହାର ଆଖପାଖ ଅଂଚଳରେ ପ୍ରବଳ ବର୍ଷା ସହିତ କୁଆପଥର ବୃଷ୍ଟି ବି ହୋଇଥିଲା। ବେଶ୍‌ କିଛି ସମୟ ପାଇଁ ବର୍ଷାରେ ଜନଜୀବନ ପ୍ରଭାବିତ ହୋଇଥିବା ଦେଖାଯାଇଥିଲା। ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଅଂଚଳରେ ବର୍ଷା ହୋଇଥିବା ବେଳେ କିଛି ଅଂଚଳରେ ପ୍ରବଳ କୁଆପଥର ପଡ଼ିଥିବା ସୂଚନା ମିଳିଛି।

ଅନ୍ୟପଟେ ଆସନ୍ତା ୩୬ଘଂଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ହେବା ସହ ପ୍ରବଳ ବେଗରେ ପବନ ବହିବାର ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର। ସ୍ଥିତିକୁ ନଜରରେ ରଖି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସମୟରେ ଘଂଟା ପ୍ରତି ୪୫ରୁ ୫୫କିମି ବେଗରେ ପବନ ବହିବାର ଆଶଙ୍କା ରହିଛି। ବିଶେଷକରି କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କଟକ, କେନ୍ଦ୍ରାପଡ଼ା, ଗଞ୍ଜାମ, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଓ ଜଗତସିଂହପୁରରେ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବ ବୋଲି କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୧୨ଘଂଟା ମଧ୍ୟରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ପ୍ରବଳ ବେଗରେ ପବନ ବହିବାର ଆଶଙ୍କା ଥିବାରୁ ଗଭୀର ସମୁଦ୍ରକୁ ମତ୍ସ୍ୟଜୀବୀମାନଙ୍କୁ ନଯିବାକୁ କୁହାଯାଇଛି।