ପୁଣି ୨୪ ଘଣ୍ଟା ବର୍ଷା ଛେଚିବ !

ଭୁବନେଶ୍ୱର : ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବଳୟ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇଛି । ଆସନ୍ତା ୨୪ ଘଣ୍ଟା ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଦୁର୍ବଳ ହେବ । ଏହାର ପ୍ରଭାବରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସରକାରୀ ସୂଚନା ଅନୁସାରେ କେବଳ ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଅନ୍ୟ କୌଣସି ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିନଥିଲେ ବି ଜଳବନ୍ଦୀ ଅବସ୍ଥାରେ ଥିବା ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଣ ସହ ପ୍ରଭାବିତ ଅଞ୍ଚଳରେ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନର୍(ଏସ୍ଆରସି) ନିର୍ଦ୍ଦେଶ ଦେଇଛନ୍ତି । ଚଳିତ ମୌସୁମୀ ଋତୁରେ ରାଜ୍ୟରେ ସ୍ୱାଭାବିକଠାରୁ ୧୫.୬ ପ୍ରତିଶତ ଅଧିକ ବର୍ଷା ହୋଇଛି । ଆଜି ରାଜଧାନୀ ଭୁବନେଶ୍ୱରରେ ୯୭.୭ ମିମି ବର୍ଷା ହୋଇଛି । ସେହିପରି ପାରାଦୀପରେ ସର୍ବାଧିକ ୪୧୨ ମିମି, କଟକରେ ୧୦୫ ମିମି, ଚାନ୍ଦବାଲିରେ ୧୯୨ ମିମି ବର୍ଷା ହୋଇଛି । ଆଜି ପ୍ରବଳ ବର୍ଷା ନେଇ ୨୨ଟି ଜିଲ୍ଲାକୁ ପାଣିପାଗ ବିଭାଗ ସତର୍କ କରିଛି । କେନ୍ଦ୍ରାପଡ଼ା, ଭଦ୍ରକ, ଜଗତସିଂହପୁର, ଯାଜପୁର, କଟକ, କେନ୍ଦୁଝର, ଢେଙ୍କାନାଳ, ଦେବଗଡ଼, ସମ୍ବଲପୁର, ସୋନପୁର, ବାଲେଶ୍ୱର, ମୟୂରଭଞ୍ଜ, ଅନୁଗୁଳ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଳାହାଣ୍ଡି, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଦେଇଛି ।
ଆଜି ରାଜ୍ୟର ସମସ୍ତ ଅଙ୍ଗନୱାଡି କେନ୍ଦ୍ର ଓ ଭୁବନେଶ୍ୱରର ସମସ୍ତ ସ୍କୁଲ୍ ବନ୍ଦ
ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ରାଜ୍ୟର ସମସ୍ତ ଅଙ୍ଗନୱାଡି କେନ୍ଦ୍ର ଓ ଭୁବନେଶ୍ୱରର ସମସ୍ତ ସ୍କୁଲ୍ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଅନ୍ୟ ଜିଲ୍ଲାଗୁଡ଼ିକରେ ପରିସ୍ଥିତିକୁ ଦୃଷ୍ଟିରେରଖି ଜିଲ୍ଲାପାଳମାନେ ଛୁଟି ପାଇଁ ନିଷ୍ପତ୍ତି ନେବେ ବୋଲି କୁହାଯାଇଛି ।

ସକାଳ ୧୦ଟା ଯାଏ ସତର୍କ ସୂଚନା ଜାରି

ଆଜି ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବ। ଏନେଇ ୧୬ ଜିଲ୍ଲାକୁ ସକାଳ୧୦ଟା ଯାଏ ସତର୍କ ରହିବାକୁ  ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି।

ଏହି ଜିଲ୍ଲାଗୁଡ଼ିକ ହେଉଛି- ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବଲାଙ୍ଗିର, ସୋନପୁର, ବୌଦ୍ଧ,କନ୍ଧମାଳ, ବରଗଡ଼, ନୂଆପଡ଼ା, ଅନୁଗୋଳ, ଢେଙ୍କାନାଳ,କେନ୍ଦୁଝର,ମୟୂରଭଞ୍ଜ, ଦେବଗଡ଼, କଳାହାଣ୍ଡି ଓ ସୋନପୁର।