୧୮ରେ ଆଉ ଏକ ଲଘୁଚାପ,ପୁଣି ତିନି ଦିନ ବର୍ଷିବ

ଭୁବନେଶ୍ୱର : ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି । ଏହି ଲଘୁଚାପ ୨୦ ତାରିଖବେଳକୁ ଅବପାଦ ରୂପ ନେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୧୯ ତାରିଖ ଠାରୁ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ଖାସ କରି ୨୦ ଓ ୨୧ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

ପାଣିପାଗ ବିଭାଗ ଆକଳନ ଅନୁଯାୟୀ, ୧୮ ତାରିଖ ସନ୍ଧ୍ୟା କିମ୍ବା ୧୯ ତାରିଖ ସକାଳ ବେଳକୁ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ। ୨୦ ତାରିଖରେ ଲଘୁଚାପ ଅବପାତର ରୂପ ନେଇପାରେ। ଏହାର ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି। ୨୦ ତାରିଖ ରାତିରୁ ୨୧ ତାରିଖ ସକାଳ ଯାଏ କନ୍ଧମାଳ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ଗଜପତି, ରାୟଗଡ଼ା ଭଳି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହିତ ଖୋର୍ଦ୍ଧା, ନୟାଗଡ଼, ପୁରୀରେ ମଧ୍ୟମ ଧରଣର ବର୍ଷା ହେବ। ଲଘୁଚାପର ପ୍ରଭାବରେ ୧୯ ତାରିଖ ରାତିରୁ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇ ୨୧ ତାରିଖ ରାତିଯାଏ ବର୍ଷିବ। ୨୨ ତାରିଖରେ ଏହା ଉତ୍ତର-ପଶ୍ଚିମ ଓଡ଼ିଶାରୁ ଦକ୍ଷିଣ ଛତିଶଗଡ଼ ଅଭିମୁଖେ ଅତିକ୍ରମ କରିବ ଏବଂ ୨୨ ତାରିଖ ବେଳକୁ ଓଡ଼ିଶାରେ ବର୍ଷା କମିଯିବ ଓ ପାଗ ଶୁଖିଲା ରହିବ ।

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ. ସୁରେନ୍ଦ୍ର ନାଥ ପଶୁପାଳକଙ୍କ ଆକଳନ କହୁଛି। ଉତ୍ତର-ପଶ୍ଚିମ ପରିବର୍ତ୍ତେ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପର ସମ୍ଭାବନା ରହିଛି। ୧୮ ତାରିଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୧୯ ତାରିଖରେ ଲଘୁଚାପର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୧୭ ଓ ୧୮ ତାରିଖରେ ରାଜ୍ୟର କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ୧୯ ତାରିଖରେ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ଏଭଳି ବର୍ଷା ଜାରି ରହିବ ଏବଂ ଉତ୍ତର ଓଡ଼ିଶା ମେଘମୁକ୍ତ ରହିବା ସହ ପାଗ ଶୁଖିଲା ରହିବା ସମ୍ଭାବନା ଅଧିକ।