ପ୍ରବଳ ବର୍ଷା ଆଶଙ୍କା: ବନ୍ୟା ମୁକାବିଲା ପାଇଁ ସଜାଗ, ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆଜି ଘନୀଭୂତ ହୋଇ ୪୮ ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେବ। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ଓ ଗୋଟିଏ ଦୁଇଟି ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବନୁମାନ କରାଯାଇଛି। ବିଶେଷ କରି ଦକ୍ଷିଣ, ଉପକୂଳ ଓ ଉତ୍ତର ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବ। ଗଜପତି, ଗଂଜାମ, ରାୟଗଡ଼ା, କନ୍ଧମାଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ୨୨ ତାରିଖରେ କନ୍ଧମାଳ, ବୌଦ୍ଧ, ନୟାଗଡ଼, ଗଂଜାମ, କଳାହାଣ୍ଡି, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ପୁରୀ ଓ ରାୟଗଡ଼ାରେ ପ୍ରବଳ ବର୍ଷା ହେବ। ୨୩ ତାରିଖରେ ପଶ୍ଚିମ ଓଡ଼ିଶାରେ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।

ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଆଜି ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ସମସ୍ତ ଆରଡିସି, ପୁଲିସ ଆଇଜି, ଅଗ୍ନିଶମ ଆଇଜି ଓ ଏନଡିଆରଏଫ ତୃତୀୟ ବାଟାଲିୟନର କମାଣ୍ଡାଣ୍ଟଙ୍କ ସମେତ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ୨୦ରୁ ୨୨ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏ ନେଇ ସମ୍ଭାବ୍ୟ ବନ୍ୟା ଓ ଜଳବନ୍ଦୀ ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯିବା ସହ ଜରୁରୀ ସ୍ଥିତିର ମୁକାବିଲା ନିମନ୍ତେ କର୍ମଚାରୀମାନଙ୍କୁ ସେମାନଙ୍କର ମୁଖ୍ୟାଳୟରେ ଉପସ୍ଥିତ ରହିବାକୁ କୁହାଯାଇଛି। ଜିଲ୍ଲାସ୍ତରରେ ୨୪ ଘଣ୍ଟିଆ ଜରୁରୀକାଳୀନ କଣ୍ଟ୍ରୋଲ ରୁମକୁ କାର୍ଯ୍ୟକ୍ଷମ କରାଇବା ଓ କୌଣସି ପ୍ରତିକୂଳ ପରିସ୍ଥିତି ଉପୁଜିଲେ ସଙ୍ଗେ ସଙ୍ଗେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟକୁ ଅବଗତ କରିବାକୁ କୁହାଯାଇଛି।

ସାମ୍ଭାବ୍ୟ ବନ୍ୟାକୁ ଆଖି ଆଗରେ ରଖି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବଙ୍କ ଡଃ ପ୍ରମୋଦ କୁମାର ମେହେର୍ଦ୍ଦା ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଦୁର୍ଗମ ଅଞ୍ଚଳର ଗର୍ଭବତୀ ମହିଳାମାନଙ୍କୁ ମାତୃତ୍ୱ ପ୍ରତୀକ୍ଷା ଗୃହକୁ ସ୍ଥାନାନ୍ତର କରିବା ପାଇଁ ନିଦ୍ଦେର୍ଶ ଦେଇଛନ୍ତି। ଯେଉଁ ମହିଳାମାନଙ୍କର ୧୫ ଦିନ ମଧ୍ୟରେ ସନ୍ତାନ ପ୍ରସବ ହେବାର ଥିବ ବିଶେଷ କରି ସେମାନଙ୍କୁ ସ୍ଥାନନ୍ତର କରାଯିବ ।

ଜୁଲାଇ ୨୦ ରୁ ୨୨ ପ୍ରବଳ ବର୍ଷା ଯୋଗୁଁ ଆସନ୍ନ ବନ୍ୟାର ସମ୍ଭାବନା ଅଛି । ତେଣୁ ସମ୍ୱେଦନଶୀଳ ଅଞ୍ଚଳରେ ପର୍ଯ୍ୟାପ୍ତ ପରିମାଣର ବ୍ଲିଚିଂ ପାଉଡର, ସାଲାଇନ୍, ରୋଗ ପ୍ରତିଷେଧକ ଔଷଧ, ହାଲୋଜିନ୍ ଟାବ୍‌ଲେଟ୍‌ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ରଖିବାକୁ ନିଦ୍ଦେର୍ଶ ଦିଆଯାଇଛି। ଆସନ୍ତା କାଲି ପାଖରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ କରିବା ସହ ଜଣେ ଲେଖାଏ ନୋଡାଲ ଅଫିସର ରହିବାର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି।