ଭୁବନେଶ୍ୱର:ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ଆସନ୍ତା ୨ରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ଫଳରେ ଆସନ୍ତା ୧ ତାରିଖରୁ ୩ତାରିଖ ପର୍ଯ୍ୟନ୍ତ ପ୍ରବଳରୁ ରାଜ୍ୟରେ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।
ଆଜି ଠାରୁ ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇସାରିଛି । ଆସନ୍ତା ୨ତାରିଖରେ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ପରେ ଉତ୍ତର ଓ ଉପକୂଳ ଓଡ଼ିଶା ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଜି ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେଉଥିବା ବେଳେ ଆସନ୍ତାକାଲିଠାରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ । ରାଜ୍ୟରେ ବର୍ଷା ସମୟରେ ୪୦,୫୦ କିମି ବେଗରେ ପବନ ବୋହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି ।
ଆଜି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୫ଟି ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୟୋଲୋ ୱାର୍ଣ୍ଣିଂରେ ଥିବା ରାୟଗଡ଼ା, କଳାହାଣ୍ଡି, ମାଲକାନଗିରି ,ନବରଙ୍ଗପୁର, କୋରାପୁଟ ରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ।
ଚଳିତ ବର୍ଷ ଜୁନ ୧ରୁ ୩୧ ଅଗଷ୍ଟ ଯାଏଁ ୨ ପ୍ରତିଶତ କମ ବୃଷ୍ଟିପାତ ହୋଇଛି । ୯୨୮ ମିମି ହେବା କଥା କିନ୍ତୁ ୮୯୨ ମିମି ବର୍ଷା ହୋଇଛି । ରାୟଗଡା ୫୨.୬ ମିମି ବର୍ଷା ରେକର୍ଡ଼ କରାଯାଇଛି । ମୁନିଗୁଡା ୫୮.୬ମିମି ବର୍ଷା ରେକର୍ଡ଼ ହୋଇଛି । ଅନୁଗୁଳ, ବାଲେଶ୍ୱର,ଦେଓଗଡ, ଗଜପତି, କେଉଁଝରରେ ଅଗଷ୍ଟ ୧ରୁ ୩୧ ଯାଏଁ ୨୨ ପ୍ରତିଶତ ଅଧିକ ବର୍ଷା । ଅଗଷ୍ଟରେ ୧୩ଟି ଜିଲ୍ଲାରେ ଅଧିକ ହୋଇଥିବା ବେଳେ ୭ଟି ଜିଲ୍ଲାରେ କମ ବର୍ଷା ହୋଇଛି ।