ଆସୁଛି ଲଘୁଚାପ; ହେବ ପ୍ରବଳ ବର୍ଷା

ଭୁବନେଶ୍ୱର :ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ଆଖପାଖ ଅଂଚଳରେ ପୁଣି ଦାନା ବାନ୍ଧୁଛି ଘୂର୍ଣ୍ଣିବଳୟ । ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ଯାହା ଫଳରେ ୨ଟି ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ଫଳରେ ଆଗାମୀ ୫ଦିନ ରାଜ୍ୟରେ ଅଧିକାଂଶ ସ୍ଥାନ ଓ ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ବିଶେଷ କରି ୨୫ ଓ ୨୬ ତାରିଖରେ ଅତିପ୍ରବଳ ବର୍ଷା ହେବା ସମ୍ଭାବନା ଥିବା ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

ମିଳିଥିବା ସୂଚନା ଅନୁଯାୟୀ, ବଙ୍ଗୋପସାଗରରେ ୨ଟି ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ଆସନ୍ତା ୨୪ରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଥିବା ବେଳେ ୨୬ତାରିଖରେ ପୁଣି ଏକ ଲଘୁଚାପ ଉତ୍ତର ଆନ୍ଧ୍ରପଦେଶ ଉପକୂଳରେ ସୃଷ୍ଟି ହେବା ସମ୍ଭାବନା ରହିଛି । ୨୪ରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ଓଡ଼ିଶାରେ ଆସନ୍ତା ୨ଦିନ ଧରି ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବ । ୨୫ତାରିଖରେ ସମ୍ବଲପୁର, ସୁନ୍ଦରଗଡ଼, ମୟୂରଭଞ୍ଜ, ବରଗଡ଼ , କଳାହାଣ୍ଡି ଓ କନ୍ଧମାଳ, ନୟାଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ସେହିପରି ପୁରୀ ଦେବଗଡ଼, ବାଲେଶ୍ୱର, ଝାରସୁଗୁଡ଼ା, ଜଗତସିଂହପୁର ଓ ଭଦ୍ରକରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

୨୬ତାରିଖରେ ବରଗଡ଼ ଓ ସୁନ୍ଦରଗଡ଼ରେ ଅତି ପ୍ରବଳ ବର୍ଷା ହେବ । ତେଣୁ ଆସନ୍ତା ୨୫ ଓ ୨୬ ତାରିଖକୁ ଅରେଞ୍ଜ ଆଲର୍ଟ କରିଛି ପାଣିପାଗ ବିଭାଗ । ସେହିପରି ଆସନ୍ତା ୨୬ତାରିଖରେ ସୃଷ୍ଟି ହେବାକୁ ଥିବା ଲଘୁଚାପରେ ଓଡ଼ିଶାରେ ବିଶେଷ ପ୍ରଭାବ ପଡ଼ିବ ନାହିଁ । କିନ୍ତୁ ଆସନ୍ତା ୫ଦିନ ପ୍ରବଳ ବର୍ଷା ଲାଗି ରହିବା କାରଣରୁ ସମୁଦ୍ର ଅଶାନ୍ତ ରହିବ । ଏହି ସମୟରେ ମତ୍ସଜୀବୀଙ୍କ ସମୁଦ୍ର ଭିତରକୁ ପଶିବାକୁ ବାରଣ କରାଯାଇଛି । ଏନେଇ ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପରାମର୍ଶ ଜାରି କରିଛି ।