୭ ଜିଲ୍ଲାକୁ ରେଡ୍ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ଵର: ଉତ୍ତର -ପଶ୍ଚିମ ବଙ୍ଗୋପସାଗରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି । ଆସନ୍ତା ୪୮ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ରେଡ ଓ୍ଵାର୍ଣ୍ଣି ଜାରି ରହିଛି। ଅନ୍ୟ ପଟେ ଲଗାତର ଦୁଇ ଦିନ ଧରି ଲଗାଣ ବର୍ଷା ଫଳରେ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ବନ୍ୟା ଆସିଛି ।  ବୌଦ୍ଧ, ବଲାଙ୍ଗୀର ଓ କନ୍ଧମାଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି  ।

ଗତକାଲି ଉତ୍ତର -ପଶ୍ଚିମ ବଙ୍ଗୋପସାଗରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି । ଯାହା ପ୍ରଭାବରେ ବହୁ ଜିଲ୍ଲାରେ ବର୍ଷା ଲାଗି ରହିଛି । ଏହା ପ୍ରଭାବରେ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟର ୭ଟି ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ରେଡ୍ ଓ୍ଵାର୍ଣ୍ଣିଂ ଜାରି କରିଛି। ଏଥିରେ ସୁନ୍ଦରଗଡ଼, ବଲାଙ୍ଗିର, କଳାହାଣ୍ଡି, ବୌଦ୍ଧ, ସୋନପୁର, ନୂଆପଡ଼ା ଓ ଝାରସୁଗୁଡା ସାମିଲ।

ସୂଚନା ଅନୁଯାୟୀ ଆସନ୍ତା ୪୮ଘଣ୍ଟା ରାଜ୍ୟର ୧୨ଟି  ଜିଲ୍ଲା ପ୍ରବଳ ବର୍ଷା ସମ୍ଭାବନା ରହିଥିବା ବେଳେ 7ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଆଜି ନବରଙ୍ଗପୁର, କୋରାପୁଟ, କନ୍ଧମାଳ , ଅନୁଗୁଳ, ସୋନପୁର, ଦେବଗଡ଼ ,ସମ୍ବଲପୁର , ଝାରସୁଗୁଡ଼ା ,ମୟୂରଭଞ୍ଜ, ବରଗଡ଼, କେନ୍ଦୁଝରରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଥିବା ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି। ଆଠ ଟି ଜିଲ୍ଲା ତଥା ମାଲକାନଗିରି, ଢେଙ୍କାନା, କଟକ ,ନୟାଗଡ଼, ଖୋର୍ଦ୍ଧା ,ପୁରୀ ,ଗଜପତି ,ଗଞ୍ଜାମକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯିବା ସହ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ତେଣୁ ଏହି ୨ଦିନ ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ।

ଲଗାତର ଦୁଇ ଦିନ ଧରି ଲଗାଣ ବର୍ଷା ଫଳରେ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ବନ୍ୟା ଆସିଛି ।  ବୌଦ୍ଧ, ବଲାଙ୍ଗୀର ଓ କନ୍ଧମାଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି  । ବୌଦ୍ଧ ତେଲ ଓ ଖଡ୍‌ଗ ନଦୀ ଉଛୁଳିବାରୁ ଅନେକ ଗାଁରେ ପାଣି ପଶିଯାଇଛି । ଖମନମୁଣ୍ଡାର ଦେଓଗାଁ, ରେଙ୍ଗାଲିର କମଘାଟ ଓ ଗମ୍ଭାରୀପଦର ଗାଁ ଲୋକ ଏବେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । କଣ୍ଟାମାଳ-ମନମୁଣ୍ଡା ରାସ୍ତାର ଅଡାଗୌଡା ପୋଲ ଉପରେ ୫ ଫୁଟର ପାଣି ଚାଲିଥିବାବେଳେ କଣ୍ଟାମାଳ-ବାଲିଗୁଡା ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଛି  ।