ପପୁଆ ନ୍ୟୁ ଗିନିରେ ପ୍ରବଳ ଭୂସ୍ଖଳନ, ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଆଶଙ୍କା

୧୧୦୦ରୁ ଅଧିକ ଘର ପୋତି ହୋଇଯାଇଥିବା ସୂଚନା

ପପୁଆ ନ୍ୟୁ ଗିନିର ଉତ୍ତର ଭାଗରେ ଥିବା ଏକ ଦୁର୍ଗମ ଗାଁରେ ପ୍ରବଳ ଭୂସ୍ଖଳନ ଯୋଗୁଁ ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ରାଜଧାନୀ ପୋର୍ଟ ମୋରେସ୍ବିଠାରୁ ପ୍ରାୟ ୬୦୦ କିଲୋମିଟର ଉତ୍ତର-ପଶ୍ଚିମରେ ଥିବା ଏଙ୍ଗା ପ୍ରଦେଶର କାଓକାଲାମ ଗ୍ରାମରେ ଗତକାଲି ହୋଇଥିବା ଭୂସ୍ଖଳନରେ ୧୧୦୦ରୁ ଅଧିକ ଘର ପୋତି ହୋଇଯାଇଛି।

ପ୍ରଦେଶର ମୁଲିତାକା ଅଞ୍ଚଳରେ ୬ରୁ ଅଧିକ ଗାଁ ପ୍ରଭାବିତ ହୋଇଛି। ଅଷ୍ଟ୍ରେଲିଆର ଉତ୍ତରରେ ଥିବା ପ୍ରଶାନ୍ତ ମହାସାଗରୀୟ ଦେଶର ଅଳ୍ପ ଜନବହୁଳ ଅଞ୍ଚଳରେ ଜରୁରୀକାଳୀନ ଟିମ୍ ପହଂଚିଛନ୍ତି ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି। ପ୍ରଧାନମନ୍ତ୍ରୀ ଜେମ୍ସ ମାରାପେ କହିଛନ୍ତି ଯେ ବିପର୍ଯ୍ୟୟ ଅଧିକାରୀ, ପ୍ରତିରକ୍ଷା ବାହିନୀ ଏବଂ ପୂର୍ତ୍ତ ଓ ରାଜପଥ ବିଭାଗ ରିଲିଫ ଏବଂ ପୁନରୁଦ୍ଧାର ପ୍ରୟାସରେ ସହାୟତା କରୁଛନ୍ତି। ଭୂସ୍ଖଳନ ଯୋଗୁଁ ରାଜପଥରେ ଗମନାଗମନ ବାଧାପ୍ରାପ୍ତ ହୋଇଛି ଏବଂ ହେଲିକପ୍ଟର ଏହି ଅଞ୍ଚଳରେ ପହଞ୍ଚିବା ପାଇଁ ଏକମାତ୍ର ବାଟ ପାଲଟିଛି।