ଓଡ଼ିଶାକୁ ଛାଡୁନି ଜାଡ: ଆଜି ସବୁଠାରୁ ଥଣ୍ଡା ସହର ଅନୁଗୁଳ

ଭୁବନେଶ୍ୱର: ଓଡ଼ିଶାରେ ଶୀତର ମାତ୍ରା ବଢ଼ିବାରେ ଲାଗିଛି । ଆଜି ରାଜ୍ୟର ୧୪ଟି ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀରୁ ତଳେ ରହିଥିଲା । ଆଜି ସବୁଠାରୁ ଥଣ୍ଡା ସହର ପାଲଟିଛି ଅନୁଗୁଳ । ଯାହାର ତାପମାତ୍ରା ୫ ଡିଗ୍ରୀ ରହିଥିଲା ।

ଗତ ୩ ଦିନ ଧରି ଲଗାତାର ଭାବେ ସୋନପୁର ରାଜ୍ୟର ସବୁଠୁ ଥଣ୍ଡା ସହର ରହିଥିଲା। ଗତକାଲି ସୋନପୁରର ତାପମାତ୍ରା ୫.୪ ଡିଗ୍ରୀ ଥିବା ବେଳେ ଆଜି ୫.୬ ରହିଛି।

ଦାରିଙ୍ଗବାଡ଼ିରେ ଆଜି ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ କେନ୍ଦୁଝରରେ ୬.୨, ଫୁଲବାଣୀରେ ୬.୫, ଟିଟିଲାଗଡ଼ରେ  ୮, ତାଳଚେରରେ  ୮.୬, ସମ୍ବଲପୁରରେ ୮.୬, ସୁନ୍ଦରଗଡ଼ରେ ୯ ଓ ହୀରାକୁଦରେ ୯.୬ ଡିଗ୍ରୀ ରହିଛି। ସେହିପରି କଟକ ଓ ଭୁବନେଶ୍ୱରରେ ଆଜି ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଛି। କଟକରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱରରେ ୯.୮ ଡିଗ୍ରୀ ରହିଛି। ସେହିପରି ବାଲେଶ୍ୱରର ତାପମାତ୍ର ୯.୪ ଡିଗ୍ରୀ ରେକର୍ଡ କରାଯାଇଛି।

ଉଲ୍ଲେଖଯୋଗ୍ୟ, ବ୍ରହ୍ମପୁରରୁ ବାରିପଦା ଏବଂ କଳାହାଣ୍ଡିରୁ କୋରାପୁଟ ସବୁଠି ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଅପରାହ୍ନ ଯାଏ ସୂର୍ଯ୍ୟ ଦେବଙ୍କ ଦର୍ଶନ ମିଳୁ ନଥିବା ବେଳେ ରାତିରେ ପାରଦ ଖସିବା ଯୋଗୁଁ ଅସ୍ତବ୍ୟସ୍ତ ହୋଇପଡ଼ୁଛନ୍ତି ଲୋକେ।

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଶୀତର ପ୍ରଭାବ ଅଧିକ ରହୁଛି। ବଢ଼ୁଥିବା ଶୀତକୁ ଦେଖି ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ, ସୋନପୁର, ବୌଦ୍ଧ, ଖୋର୍ଦ୍ଧା, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲା ପାଇଁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ। ସେହିପରି ଆସନ୍ତାକାଲିଠୁ ରାଜ୍ୟର ବିଭିନ୍ନ ଅଂଚଳରେ ବର୍ଷା ହେବ ବୋଲି କହିଛି ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର।

ବର୍ଷର ପ୍ରଥମ ଦିନରେ ବରଗଡ଼, ନୂଆପଡ଼ା, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର ଓ ଦେବଗଡ଼ରେ ବର୍ଷା ସହ ୨ ତାରିଖରେ ଦକ୍ଷିଣ ଓଡ଼ିଶାର ଗୋଟିଏ ବା ଦୁଇଟି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି। ତା’ସହ ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ବି ବର୍ଷା ହୋଇପାରେ। ଆଉ ବର୍ଷା ଛାଡ଼ିବା ପରେ ରାଜ୍ୟରେ ପୁଣି ଶୀତ ପ୍ରକୋପ ବଢ଼ିବ ବୋଲି କହିଛି ଆଂଚଳିକ ପାଣିପାଗ କେନ୍ଦ୍ର।