ଜଳୁଛି ସାରା ଭାରତ : ଉତ୍ତର ପଶ୍ଚିମ ଭାରତରେ ଅସହ୍ୟ ଗ୍ରୀଷ୍ମ, ଅଂଶୁଘାତରେ ୩୦ ମୃତ

ପଶ୍ଚିମ ଓଡିଶା ଜଳୁଛି, ୧୦ ସହରର ପାରା ୪୦ ଡିଗ୍ରୀ ଉପରେ

ନୂଆଦିଲ୍ଲୀ : ଜଳୁଛି ସାରା ଭାରତ । ଦିଲ୍ଲୀ ସମେତ ଉତ୍ତର ପଶ୍ଚିମ ଭାରତ ଅସହ୍ୟ ଗ୍ରୀଷ୍ମ ତାପରେ ଆଉଟୁପାଉଟୁ ହେଉଛି । ରାଜସ୍ଥାନର ଚୁରୁରେ ତାପମାତ୍ରା ସର୍ବାଧିକ ୫୦.୮ଡିଗ୍ରୀ ଛୁଇଁଛି । ରାଜସ୍ଥାନର ଅନେକ ସ୍ଥାନରେ ତାପମାତ୍ରା ୪୭ଡିଗ୍ରୀ ଉପରେ ଥିଲା । ଦିଲ୍ଲୀରେ ପାରଦ ୪୬.୮ ଥିବାବେଳେ ପ୍ରୟାଗରାଜରେ ତାପମାତ୍ରା ୪୮.୬ ଡିଗ୍ରୀ ଛୁଇଁଥିଲା । ଗ୍ରୀଷ୍ମଲହରୀ ଯୋଗୁଁ ଦେଶରେ ଅଂଶୁଘାତଜନିତ ମୃତ୍ୟୁ ସଂଖ୍ୟା ୩୦ରେ ପହଞ୍ଚିଛି । ଏଭଳି ସ୍ଥିତି ଆଉ ୨ରୁ ୩ସପ୍ତାହ ଲାଗି ରହିବା ଆଶଙ୍କା ଥିବାରୁ ବିଭିନ୍ନ ସହରରେ ରେଡ୍ ୱାର୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ ।

ସେପଟେ ସାରା ରାଜ୍ୟରେ ପ୍ରବଳ ତାତି । ପଶ୍ଚିମ ଓଡିଶା ଅସ୍ତବ୍ୟସ୍ତ । ୧୦ଟି ସହରର ପାରଦ ୪୦ ଡିଗ୍ରୀ ଉପରକୁ ଯାଇଥିବାବେଳେ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଝାରସୁଗୁଡ଼ାରେ ପାରଦ ୪୨.୬ ଡ଼ିଗ୍ରୀକୁ ଛୁଇଁଛି । ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ ମୌସୁମୀ ଓଡ଼ିଶା ଛୁଇଁବାରେ ବିଳମ୍ବ ହେଉଥିବା ଯୋଗୁଁ ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଆଜି ମଧ୍ୟ ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ତାତି ଅସହ୍ୟ ହେବ ବୋଲି ସତର୍କ କରିଛି ପାଣିପାଗ କେନ୍ଦ୍ର ।