ନିର୍ଭୟା ମାମଲା; ଆଜି କ୍ୟୁରେଟିଭ ପିଟିସନ୍ ର ଶୁଣାଣି

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ହତ୍ୟା ମାମଲାରେ ଦୋଷୀଙ୍କ କ୍ୟୁରେଟିଭ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ। ବିଚାରପତି ଏନ.ଭି.ରମନା, ଅରୁଣା ମିଶ୍ରା, ରୋହିଟନ ଫଲି ନରିମନ, ଆର. ଭାନୁମତୀ ଓ ବିଚାରପତି ଅଶୋକ ଭୂଷଣଙ୍କୁ ନେଇ ଗଠିତ ପାଂଚ ଜଣିଆ ଖଣ୍ଡପୀଠ ଏହି ଶୁଣାଣି କରିବେ।

ଫାଶୀ ଦଣ୍ଡ ପାଇଥିବା ୪ ଜଣଙ୍କ ମଧ୍ୟରୁ ଦୁଇ ଜଣ କ୍ୟୁରେଟିଭ ପିଟିସନ୍ ଦାଖଲ କରିଛନ୍ତି। ଦୋଷୀ ବିନୟ ଶର୍ମା ଓ ମୁକେଶଙ୍କ ଦ୍ବାରା କରାଯାଇଥିବା ଆବେଦନର ଶୁଣାଣି କରିବେ ପାଂଚ ଜଣିଆ ଖଣ୍ଡପୀଠ। ଖୋଲା ଅଦାଲତରେ ଶୁଣାଣି ନହେଇ ଜଜଙ୍କ ଚାମ୍ବରରେ ଆଜି ଦ୍ବିପ୍ରହର ୨ଟା ସମୟରେ ଏହି ଶୁଣାଣି ହେବ।

ଜଷ୍ଟିସ ଭାନୁମତୀ ଓ ଜଷ୍ଟିସ ଭୂଷଣଙ୍କ ଗଠିତ ଖଣ୍ଡପୀଠ ଦୋଷୀଙ୍କ ପୁର୍ନବିଚାର ଯାଚିକାକୁ ୧୮ ଡିସେମ୍ବରରେ ଖାରିଜ କରିଥିଲେ। ପରେ ପଟିଆଲା ହାଉସ କୋର୍ଟ ଅତିରିକ୍ତ ସେସନ୍ସ ଜଜ୍ ସତୀଶ କୁମାର ଅରୋରା ଦୋଷୀଙ୍କ ଡେଥ ୱାରେଂଟ ଜାରି କରିଥିଲେ। ଏହାପରେ ୪ ଜଣଙ୍କ ଫାଶୀ ଦଣ୍ଡାଦେଶଙ୍କ ମଧ୍ୟରୁ ୨ ଜଣ ଦୋଷୀ ମୁକେଶ ଏବଂ ବିନୟ କୁମାର କ୍ୟୁରେଟିଭ ପିଟିସନ ଦାଖଲ କରିଛନ୍ତି।