ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ଲାଗି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଗ୍ରାମାଞ୍ଚଳରେ ନିର୍ମାଣାଧିନ ସ୍ୱାସ୍ଥ୍ୟକେନ୍ଦ୍ର ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଭିତ୍ତିଭୂମିର ନିର୍ମାଣ ସଂକ୍ରାନ୍ତରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଆଜି ସମୀକ୍ଷା କରିଛନ୍ତି। ବୈଠକରେ ଗ୍ରାମ୍ୟ ଉନ୍ନୟନ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ସୁଶାନ୍ତ ସିଂହ ଉପସ୍ଥିତ ଥିଲେ । ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ନିର୍ମାଣ କାର୍ଯ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା କରାଯାଉଛି । ଏଥିରେ ମଧ୍ୟ ସ୍ୱାସ୍ଥ୍ୟକେନ୍ଦ୍ର, ତାଲିମ ପ୍ରତିଷ୍ଠାନ, ଆବାସିକ ଗୃହ, ସଡକ, ପାନୀୟଜଳ ଯୋଗାଣ ଆଦିର ନିର୍ମାଣ ସହିତ ସମ୍ପ୍ରସାରଣ କାର୍ଯ୍ୟ ମଧ୍ୟ ରହିଛି । ସମୀକ୍ଷା ସମୟରେ ଜଣାଯାଇଛି ଯେ ଅଣଆବାସିକ କାର୍ଯ୍ୟ ବାବଦରେ ୩୯୭୬ଟି ପ୍ରକଳ୍ପ ଲାଗି ୩୬୬କୋଟି ୫୫ଲକ୍ଷ ୭୫ ହଜାର ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଏଥି ମଧ୍ୟରୁ ୫୮୪ଟି ପ୍ରକଳ୍ପର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବାବେଳେ ୭୭୮ଟି ପ୍ରକଳ୍ପର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଅବଶିଷ୍ଟ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାଲାଗି ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ ନିର୍ଦ୍ଦେଶ ଦେଇଛନ୍ତି । ଖୋରଧା, ମୟୁରଭଞ୍ଜ ଓ କଟକ ଜିଲ୍ଲାରେ ୩୦ ଶଯ୍ୟା ବିଶିଷ୍ଟ ମାତୃ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରର ନିର୍ମାଣ ସରି କାର୍ଯ୍ୟକ୍ଷମ ହୋଇଥିବାବେଳେ ବାଲେଶ୍ୱର, ବରଗଡ ଓ
ଯାଜପୁର ଜିଲ୍ଲାରେ ଏହି ଧରଣର ସ୍ୱାସ୍ଥ୍ୟକେନ୍ଦ୍ରର ନିର୍ମାଣ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି । ସେହିଭଳି ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଲାଗି ୫୮କୋଟି ୪୬ଲକ୍ଷ ଟଙ୍କା ବ୍ୟୟରେ ୩୦୦ ଟି କ୍ୱାଟର୍ସର ନିର୍ମାଣକାର୍ଯ୍ୟ ଜାରି ରହିଛି । ଏହି ପ୍ରକଳ୍ପ ଗୁଡିକ ଲାଗି ରାଜ୍ୟ ସରକାର ବଜେଟ୍‍ରେ ଅର୍ଥ ବ୍ୟବସ୍ଥା କରିଥିବାବେଳେ ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ମଧ୍ୟ ଅର୍ଥ ଯୋଗାଇ ଦିଆଯାଉଛି । ନିର୍ମାଣାଧିନ କାର୍ଯ୍ୟ ତ୍ୱରାନ୍ୱିତ ଲାଗି ବିଭାଗ ମଧ୍ୟରେ ସମନ୍ୱୟ ସହିତ ନିୟମିତ ଅନୁଧ୍ୟାନ ଉପରେ ମନ୍ତ୍ରୀ ଶ୍ରୀ ଦାସ ଗୁରୁତ୍ୱ ଦେଇଛନ୍ତି । ସଚିବାଳୟ ଠାରେ ଅନୁଷ୍ଠିତ ଉକ୍ତ ବୈଠକରେ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଡାକ୍ତର ମୋନା ଶର୍ମା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା, ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀଙ୍କ ସମେତ ଦୁଇ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।