ସାଂଘାତିକ ଆଡ଼କୁ ଯାଉଛି ଦେଶରେ କରୋନା ସ୍ଥିତି : ସତର୍କ କଲା ସ୍ବାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ : ଦେଶରେ କରୋନା ସ୍ଥିତି ଦିନକୁ ଦିନ ସାଙ୍ଘାତିକ ଆଡ଼କୁ ଗତି କରୁଛି । ଖୋଦ କେନ୍ଦ୍ର ସରକାର ଏହା ସ୍ବୀକାର କରିଛନ୍ତି । ନିତି ଆୟୋଗର ସଦସ୍ୟ ତଥା ସରକାରଙ୍କ କୋଭିଡ ଟାସ୍କଫୋର୍ସ ମୁଖ୍ୟ ଡ.ଭି.କେ. ପଲ କହିଛନ୍ତି ଯେ ଦେଶର କେତେକ ଜିଲ୍ଲାରେ ଆମେ ଅତି ଗୁରୁତର ସ୍ଥିତିର ସାମନା କରୁଛୁ । କିନ୍ତୁ ସମଗ୍ର ଦେଶ ପାଇଁ ବିପଦର ଆଶଙ୍କା ବଢିଯାଇଛି । ଭୁତାଣୁକୁ ନିୟନ୍ତ୍ରଣ କରିବାକୁ ଓ ଜୀବନ ବଞ୍ଚାଇବାକୁ ଆମକୁ ସବୁ ପ୍ରକାରର ଉଦ୍ୟମ କରିବାକୁ ହେବ ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଦେଶର ୧୦ଟି ସର୍ବାଧିକ କରୋନା ପ୍ରଭାବିତ ଜିଲ୍ଲାର ତାଲିକା ପ୍ରକାଶ କରାଯାଇଛି । ଏସବୁ ଜିଲ୍ଲା ହେଲେ ପୁଣେ, ମୁମ୍ବାଇ, ନାଗପୁର, ଥାଣେ, ନାସିକ, ଔରଙ୍ଗାବାଦ, ବେଙ୍ଗାଲୁରୁ ଅର୍ବାନ, ନାଣ୍ଡେଡ୍, ଦିଲ୍ଲୀ ଓ ଅହମଦନଗର । ଏସବୁ ଜିଲ୍ଲାଗୁଡ଼ିକରେ ପରୀକ୍ଷା ହାର ବୃଦ୍ଧି କରି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ସଂପୃକ୍ତ ରାଜ୍ୟ ସରକାରମାନଙ୍କୁ କୁହାଯାଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୁଷଣ କହିଛନ୍ତି ।

ସେ କହିଛନ୍ତି ଯେ ଦେଶରେ ସାପ୍ତାହିକ ପଜିଟିଭିଟି ହାର ୫.୬୫ ପ୍ରତିଶତ ଥିବାବେଳେ ଦେଶର ସର୍ବାଧିକ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ରରେ ତାହା ୨୩ ପ୍ରତିଶତ ରହିଛି ।

ଦେଶରେ ଏବେ ୮୦୭ଟି ୟୁକେ ଭାରିଆଣ୍ଟ, ୪୭ଟି ଦକ୍ଷିଣ ଆଫ୍ରିକୀୟ ଭାରିଆଣ୍ଟ ଓ ଗୋଟିଏ ବ୍ରାଜିଲ ଭାରିଆଣ୍ଟ ଚିହ୍ନଟ ହୋଇଛି ବୋଲି ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

health ministry warns on covid 19 rise situation in country