ଭେକ୍ଟର ବାହିତ ରୋଗ ସଂକ୍ରାନ୍ତରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ୱର: ବର୍ଷାଋତୁ ଆରମ୍ଭ ହୋଇଯାଇଥିବାବେଳେ ଜଳ ବାହିତ ରୋଗ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଗାମୀ ଦୁଇ ତିନିମାସ ପାଇଁ ସତର୍କ ରହିବା ସହିତ ଆବଶ୍ୟକ ପଦକ୍ଷେପ ଗ୍ରହଣ ଲାଗି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ମନ୍ତ୍ରୀ ଶ୍ରୀ ଦାସ ସଚିବାଳୟ ଠାରେ ଏନ୍‍ଭିବିଡିସିପି କାର୍ଯ୍ୟର ସମୀକ୍ଷା ଅବସରରେ ରାଜ୍ୟରେ ମ୍ୟାଲେରିଆ, ଡେଙ୍ଗୁ, ଜେଇ, ଏଇଏସ୍‍, ଚିକନଗୁନିଆ ଓ ଡାଇରିଆ ଆଦି ରୋଗ ଯେଭଳି କୌଣସି ସ୍ଥାନରେ ନ ବ୍ୟାପେ ସେଥିପାଇଁ ସଜାଗ ରହିବାକୁ କହିଛନ୍ତି । ଏହିସବୁ ରୋଗ ନିୟନ୍ତ୍ରଣ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ମଧ୍ୟ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି ।

ଜେଇ ଓ ଏଇଏସ୍‍ ରୋଗ ଚିହ୍ନଟ ପାଇଁ ସ୍ୱତନ୍ତ୍ର ଭାବେ ୯ଟି ସେଣ୍ଟିନାଲ ସାଇଟ୍‍ ପରୀକ୍ଷାଗାର ସମେତ ସର୍ବୋଚ୍ଚ ରେଫରାଲ ପରୀକ୍ଷାଗାର ଭାବେ ଆରଏମ୍‍ଆରସି ରହିଛି । ୯ଟି ସେଣ୍ଟିନାଲ ସାଇଟ୍‍ ପରୀକ୍ଷାଗାରକୁ ଉପଯୋଗ କରିବା ସହିତ ସମସ୍ତ ପରୀକ୍ଷାର ତଥ୍ୟ ପ୍ରଦାନ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ନିୟମିତ ଟୀକାକରଣ କାର୍ଯ୍ୟକ୍ରମରେ ୧୭ଟି ଜିଲ୍ଲାରେ ଜେଇ ଟୀକା ଦିଆଯାଉଥିବାବେଳେ ଚଳିତବର୍ଷ ଏଥିରେ ଆଉ ୭ଟି ଜିଲ୍ଲାକୁ ସାମିଲ କରାଯିବା । ଏହିସବୁ ଜିଲ୍ଲା ଗୁଡିକ ହେଉଛି ଅନୁଗୁଳ, ଭଦ୍ରକ, ବରଗଡ, ବଲାଙ୍ଗିର, ବୌଦ, ଜଗତ୍‍ସିଂହପୁର ଓ ନୟାଗଡ । ମ୍ୟାଲେରିଆ ଓ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ମଶାରୀର ଜରୁରୀ ଆବଶ୍ୟକତା ଥିବାବେଳେ କେନ୍ଦ୍ର ସରକାର ଖୁବ୍‍ଶୀଘ୍ର ୨୬ଲକ୍ଷ ମଶାରୀ ଯୋଗାଇ ଦେବେବୋଲି ସୂଚନା ମିଳିଛି । ତେବେ ରାଜ୍ୟ ସରକାର ମଧ୍ୟ ମଶାରୀ ଖରିଦ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାପାଇଁ କୁହାଯାଇଛି । ସ୍ୱାସ୍ଥ୍ୟ ବିଭାଗ ସହିତ ପଞ୍ଚାୟତିରାଜ ଓ ପାନୀୟଜଳ, ବିଦ୍ୟାଳୟ ଗଣଶିକ୍ଷା, ମହିଳା ଓ ଶିଶୁ ବିକାଶ, ଶିଳ୍ପ ଆଦି ବିଭାଗ ସହି ସମନ୍ୱୟ ରକ୍ଷାଲାଗି ନିର୍ଦ୍ଦେଶ ଦିଆଯାଇଛି । ଏହି ସମୟରେ କେବିକେ ଜିଲ୍ଲା ଗୁଡିକରେ ରୋଗ ସଂକ୍ରମଣର ଭୟ ଥିବାରୁ ସେଥିପ୍ରତି ବିଶେଷ ଦୃଷ୍ଟି ରଖିବାକୁ କୁହାଯାଇଛି । ରୋଗ ନିୟନ୍ତ୍ରଣ ଏବଂ ପ୍ରତିଷେଧକ ପାଇଁ ତୃଣମୂଳ ସ୍ତରରୁ ଆଶାକର୍ମୀଓ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ସାମିଲ କରି ବ୍ୟାପକ ଜନସେଚତନତା ଲାଗି ମତପ୍ରକାଶ ପାଇଛି । କେବିକେ ଠାରୁ ଆରମ୍ଭକରି ଉପକୂଳ ଜିଲ୍ଲା ଗୁଡିକରେ ସଠିକ୍‍ ସ୍ୱାସ୍ଥ୍ୟ ସୂଚନା ସଂଗ୍ରହକରି ତଦନୁଯାୟୀ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ସହିତ କୌଣସି ଠାରେ ଯେଭଳି ମହାମାରୀ ନବ୍ୟାପେ ସେଥିପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ମନ୍ତ୍ରୀ ଶ୍ରୀ ଦାସ ନିର୍ଦ୍ଦେଶ ଦେଇଛନ୍ତି । ଉକ୍ତ ବୈଠକରେ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା, ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶିକା ୟାମିନୀ ଷଡଙ୍ଗୀ, ଯୁଗ୍ମ ସଚିବ ଗୁହା ପୁନମ ତାପସ କୁମାର, ସ୍ୱତନ୍ତ୍ର ସଚିବ ଡାକ୍ତର ବି.କେ.ବ୍ରହ୍ମା ଓ ଡାକ୍ତର ହରପ୍ରସାଦ ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।