ରେଳବାଇ କର୍ମଚାରୀଙ୍କ ସ୍ୱାସ୍ଥ୍ୟସେବା ପାଇଁ ମୋବାଇଲ ଆପ୍‌ ‘କାଇଜାଲା’

ଭୁବନେଶ୍ବର: ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପାଇଁ ଭାରତୀୟ ରେଳବାଇ କର୍ମଚାରୀମାନେ ମାଇକ୍ରୋସଫ୍ଟ କାଇଜାଲା ମୋବାଇଲ ଆପ୍‌ ସହ ଯୋଡ଼ି ହେବେ। ରେଳବାଇ ବୋର୍ଡର ଅଧ୍ୟକ୍ଷ ବିନୋଦ କୁମାର ଯାଦବ ଆଜି ସିକନ୍ଦରାବାଦଠାରେ ଏହି ଆପ୍‌କୁ ଉଦ୍‌ଘାଟନ କରିଛନ୍ତି। ରେଳବାଇର କର୍ମଚାରୀ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ସ୍ୱାସ୍ଥ୍ୟସେବାରେ ଥିବା ଜଟିଳତାକୁ ସହଜସାଧ୍ୟ କରାଇ ରେଳବାଇର ୧୩୩ଟି ଓ ରେଳବାଇ ଦ୍ୱାରା ସ୍ୱୀକୃତିପ୍ରାପ୍ତ ୧୨୫ଟି ବେସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସେବା ଉପଲବ୍ଧ କରାଇବା ପାଇଁ ଏହି ଆପ୍‌ ସୁବିଧା ପ୍ରଦାନ କରିବ। ଏହି ଆପ୍‌ ଗ୍ରୁପ୍‌ କେତେକ ଡାକ୍ତର, ପାରାମେଡିକାଲ ଷ୍ଟାଫ୍‌ ଓ ନର୍ସ ମାନଙ୍କ ଦ୍ୱାରା ପରିଚାଳିତ ହେବ।

ଏହି ସୁବିଧା ପାଇବା ପାଇଁ କର୍ମଚାରୀମାନଙ୍କୁ ସ୍ମାର୍ଟ ଫୋନ୍‌ରେ ‘କାଇଜାଲା’ ମୋବାଇଲ ଆପ୍‌ ଡାଉନଲୋଡ୍‌ କରିବାକୁ ହେବ। ଏହାଦ୍ବାରା ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ର, ଡାକ୍ତର, ସ୍ୱୀକୃତିପ୍ରାପ୍ତ ଡାଇଗ୍ନୋଷ୍ଟିକ କେନ୍ଦ୍ରଗୁଡିକୁ ସହଜରେ ପାଇପାରିବେ। କର୍ମଚାରୀମାନେ ମଧ୍ୟ ଡାକ୍ତରଙ୍କ ସହିତ ଆପଏଣ୍ଟମେଣ୍ଟ ନେବା ସହିତ ଡାଇଗ୍ନୋଷ୍ଟିକ କେନ୍ଦ୍ର ସହ ସିଧାସଳଖ କାଇଜାଲା ମି-ଚାର୍ଟ ରିପୋର୍ଟର ସ୍କ୍ରିନ ସର୍ଟ ନେଇପାରିବେ। କର୍ମଚାରୀମାନେ ମଧ୍ୟ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କୌଣସି ସୂଚନା ପାଇ ସେମାନଙ୍କ ମତାମତ ଦେଇପାରିବେ। ଫଳରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତି ଆସିପାରିବ।
‘କାଇଜାଲା’ ମୋବାଇଲ ଆପ୍‌ ଦ୍ୱାରା କର୍ମଚାରୀମାନେ ସଫଳତାର ବୁଲେଟିନ, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବୁଲେଟିନ, ସୂଚନା, ସଚେତନତା ବାର୍ତା, ଫାଷ୍ଟ-ଏଡ୍‌, ଟିକାକରଣ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସୂଚନା ପାଇପାରିବେ। ଗ୍ରୁପ୍‌ର ଡାକ୍ତରମାନେ ରୋଗୀ ମାନଙ୍କର ରୋଗର ଇତିହାସ, କେସ୍‌ ଷ୍ଟଡି ଅନୁସରଣ କରି ଠିକ ସମୟରେ ପଦକ୍ଷେପ ନେଇପାରିବେ। ଏହା ଏକ ସରଳୀକରଣ ବ୍ୟବସ୍ଥା। ଯେଉଁଥିରେ ରେଳବାଇ ତାହାର କର୍ମଚାରୀଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଜଣାଇବା, ସହଯୋଗ କରିବା, କାର୍ଯ୍ୟ ସମ୍ପାଦନ କରାଇବା, କର୍ମଚାରୀଙ୍କୁ ସ୍ୱାସ୍ଥ୍ୟସେବା ପାଇଁ ଗୋଟିଏ ପ୍ଲାଟଫର୍ମରେ ଯୋଡିରଖିବାକୁ ଲକ୍ଷ୍ୟ ରଖିଛି। ଭିଡିଓ କନଫରେନ୍ସିଂରେ ଆୟୋଜିତ ଏହି ଉଦ୍‌ଘାଟନରେ ପୂର୍ବତଟ ରେଳପଥ ମୁଖ୍ୟାଳୟଠାରେ ମହାପ୍ରବନ୍ଧକ ବିଦ୍ୟା ଭୂଷଣଙ୍କ ସହ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।