କର୍ଣ୍ଣାଟକରେ ହୋଇପାରେ ମଧ୍ୟବର୍ତ୍ତିକାଳୀନ ର୍ନିବାଚନ

ବେଙ୍ଗାଲୁର: ସଙ୍କଟରେ କର୍ଣ୍ଣାଟକ ସରକାର। କୌଣସି ବି ମୁହୂର୍ତ୍ତରେ ଭାଙ୍ଗିଯାଇପାରେ ମେଣ୍ଟ ସରକାର। କର୍ଣ୍ଣାଟକ ରାଜନୈତିକ ସ୍ଥିତି ନେଇ ଭବିଷ୍ୟବାଣୀ। ପୁଣି ଥରେ ହୋଇପାରେ ମଧ୍ୟବର୍ତ୍ତିକାଳୀନ ର୍ନିବାଚନ। ଏଭଳି ଆଶଙ୍କା ପ୍ରକାଶ କରିଛନ୍ତି କଂଗ୍ରେସ ସହ ମେଣ୍ଟ କରି ସରକାର ଗଢ଼ିଥିବା ଜେଡିଏସ୍‌ ମୁଖ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବେଗୌଡା। କଂଗ୍ରେସର ବ୍ୟବହାର ଜନତା ଠଉରାଇ ପାରିଛନ୍ତି। ଚାଲିଥିବା ସରକାର କେବେ ପର୍ଯ୍ୟନ୍ତ ଚାଲିବ ତାହା କହିହେବ ନାହିଁ। ଏପରିକି ସେ ମେଂଟ ସରକାର ହେଉ ବୋଲି ଚାହୁଁନଥବା କଥା ପ୍ରକାଶ କରିଛନ୍ତି ଦେବେଗୌଡା।

ତେବେ କଂଗ୍ରେସ ତାଙ୍କ ପାଖକୁ ଆସି ମେଂଟ କରିବାକୁ ଓ ତାଙ୍କ ପୁଅକୁ ମୁଖ୍ୟମନ୍ତ୍ରୀ କରିବାକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଏହି ପ୍ରସ୍ତାବ ଉପରେ କଂଗ୍ରେସର ସମସ୍ତ ନେତାଙ୍କର ସହମତି ଥିଲା କି ନାହିଁ ତାହା ତାଙ୍କୁ ଜଣାନଥିଲା। ସେ କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜ୍ଜୁନ ଖଡଗେଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଥିଲେ। ତେବେ ବର୍ତ୍ତମାନ ପରିସ୍ଥିତିରେ ତାଙ୍କ ଦଳ ତରଫରୁ କୌଣସି ବିପଦ ନାହିଁ କିନ୍ତୁ ସରକାର କେବେ ଯାଏ ତିଷ୍ଠିବ ତାହା କଂଗ୍ରେସର ହାତରେ ଅଛି ବୋଲି ସେ କହିଛନ୍ତି।

ଦେବେଗୌଡାଙ୍କ ଏହି ବୟାନ ଉପରେ ପ୍ରତିକ୍ରିୟା ରଖି କୁମାରସ୍ୱାମୀ କହିଛନ୍ତି ତାଙ୍କ ପିତାଙ୍କ କଥାକୁ ଭୁଲ ଭାବରେ ପ୍ରସାରଣ କରାଯାଉଛି। ସେ ଏହା ପଂଚାୟତ ର୍ନିବାଚନ ପ୍ରସଙ୍ଗରେ କହିଛନ୍ତି। ଅନ୍ୟପଟେ ବିରୋଧୀ ଦଳ ମୁଖ୍ୟ ତଥା ବିଜେପି ନେତା ବିଏସ ୟେଦୁରପ୍ପା କହିଛନ୍ତି କୁମାରସ୍ୱାମୀ ସରକାର ଭାଙ୍ଗିଗଲେ ମଧ୍ୟ ମଧ୍ୟବର୍ତ୍ତୀକାଳିନ ର୍ନିବାଚନ ହେବ ନାହିଁ। ସେ ସରକାର ସମ୍ଭାଳିବେ। ୨୨୪ ଆସନ ବିଶିଷ୍ଠ କର୍ଣ୍ଣାଟକ ବିଧାନସଭାରେ ବିଜେପିର ୧୦୫, କଂଗ୍ରେସର ୮୦ ଓ ଜେଡିଏସର ୩୭ଜଣ ବିଧାୟକ ଅଛନ୍ତି। କଂଗ୍ରେସ ଓ ଜେଡିଏସ ମେଂଟ କରି ସରକାର ଗଢ଼ିଛନ୍ତି।