ସଡ଼କ କିମ୍ବା ରେଳ ଧାରଣାରେ ଚାଲି ଚାଲି ନ ଯାଇ ଶ୍ରମିକ ସ୍ପେଶାଲ ଟ୍ରେନରେ ଯାତ୍ରା କରନ୍ତୁ

ନୂଆଦିଲ୍ଲୀ: ପ୍ରବାସୀ ଶ୍ରମଜୀବୀମାନେ ଯେମିତି ସଡ଼କ କିମ୍ବା ରେଳଧାରଣା ଉପରେ ଚାଲି ଚାଲି ଘରକୁ ନ ଯାଇ ଶ୍ରମିକ ସ୍ପେସାଲ୍ ଟ୍ରେନ୍‌ରେ ଯାଆନ୍ତି, ସେଥିପ୍ରତି ଦୃଷ୍ଟି ଦେବାକୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳଗୁଡ଼ିକୁ କେନ୍ଦ୍ର ଗୃହମନ୍ତ୍ରାଳୟ କହିଛି। ଏହାଛଡ଼ା, ପ୍ରବାସୀ ଶ୍ରମିକମାନଙ୍କ ନିମନ୍ତେ ଅଧିକ ଶ୍ରମିକ ସ୍ପେସାଲ୍ ଟ୍ରେନ୍ ଚଳାଇବାରେ ସହଯୋଗ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳମାନଙ୍କୁ କହିଛି।

ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳମାନଙ୍କୁ ଦେଇଥିବା ଏକ ଚିଠିରେ ଗୃହ ସଚିବ ଅଜୟ ଭଲ୍ଲା ଲେଖିଛନ୍ତି, କୌଣସି ବାଧା ନ ଦେଇ ଶ୍ରମିକ ସ୍ପେସାଲ୍ ଟ୍ରେନ୍‌ଗୁଡ଼ିକୁ ପହଂଚିବାକୁ ଅନୁମତି ଦେଇ ଅଟକି ଯାଇଥିବା ପ୍ରବାସୀ ଶ୍ରମଜୀବୀମାନଙ୍କ ଘରବାହୁଡ଼ା ତ୍ୱରାନ୍ୱିତ କରନ୍ତୁ।

ଚିଠିରେ ସେ ଆହୁରି ଲେଖିଛନ୍ତି ଯେ ପ୍ରବାସୀ ଶ୍ରମଜୀବୀମାନେ ଯେମିତି ସଡ଼କ କିମ୍ବା ରେଳ ଧାରଣା ଉପରେ ଚାଲି ଚାଲି ନ ଯାଇ ଯେମତି ସ୍ପେସାଲ୍ ଟ୍ରେନ୍‌ରେ ଯାଆନ୍ତି, ସେଥିପ୍ରତି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳମାନେ ନିଶ୍ଚିତ ହୁଅନ୍ତୁ।

ଯଦି ସେମାନେ ସଡ଼କ କିମ୍ବା ରେଳ ଧାରଣାରେ ଚାଲି ଚାଲି ଯାଉଥିବାର ଦେଖାଯାଉଥାଏ ତାଙ୍କୁ ଉପଯୁକ୍ତ କାଉନ୍‌ସେଲିଙ୍ଗ୍ ଦିଆଯାଇ ନିକଟବର୍ତୀ ଆଶ୍ରୟସ୍ଥଳକୁ ନିଆଯାଇ ଖାଦ୍ୟପାନୀୟ ଆଦି ଦିଆଯାଉ। ଘରବାହୁଡ଼ା ନିମନ୍ତେ ସେମାନଙ୍କୁ ଶ୍ରମିକ ସ୍ପେସାଲ୍ ଟ୍ରେନ୍ କିମ୍ବା ବସ୍‌ରେ ପଠା ନ ଯିବା ପର୍ଯ୍ୟନ୍ତ ରାଜ୍ୟ ସରକାରମାନେ ଏହି ବ୍ୟବସ୍ଥା କରନ୍ତୁ ବୋଲି ଭଲ୍ଲା ସେ ଚିଠିରେ ଲେଖିଛନ୍ତି।

ମେ ପହିଲାରୁ ଭାରତୀୟ ରେଳବାଇ ୪୨୮ଟି ଶ୍ରମିକ ସ୍ପେସାଲ୍ ଟ୍ରେନ୍ ଚଳାଇ ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ୪. ୫ ଲକ୍ଷ ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ ଘରକୁ ଫେରାଇ ନେଇଛି।