ହସ୍ତତନ୍ତ ମେଳା ୨୦୨୦ କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସାଧାରଣତନ୍ତ୍ର ଦିବସ ସନ୍ଧ୍ୟାରେ ସ୍ଥାନୀୟ ୟୁନିଟ ୩ ପ୍ରଦର୍ଶନୀ ପଡିଆରେ ଆୟୋଜିତ ଜାତୀୟ ନିମନ୍ତେ ମେଳା ୨୦୨୦ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତି ପଦ୍ମିନୀ ଦିଆନ୍ , ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡା, ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା , ବିଧାୟକ ଶ୍ରୀ ସୁଶାନ୍ତ ରାଉତ ପ୍ରମୁଖ ଯୋଗଦାନ କରିଥିଲେ । ବିଭାଗୀୟ ପ୍ରମୁଖ ସଚିବ ଶ୍ରୀ ହେମନ୍ତ ଶର୍ମା ସ୍ୱାଗତ ଭାଷଣ ଦେଇ ମେଳାର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ବୟନିକା ସଭାପତି ଶ୍ରୀ ଶେଷ କୁମାର ମେହେର, ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଜ୍ୟୋତି ପ୍ରକାଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଅବସରରେ ବିଗତ ବର୍ଷମାନଙ୍କରେ ସର୍ବାଧିକ ବ୍ୟବସାୟ କରିଥିବା ତିନୋଟି ତନ୍ତୁବାୟ ସମିତିକୁ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରଦାନ କରିଥିଲେ । ଏହି ସମିତି ଗୁଡିକ ହେଲେ ସୁବର୍ଣ୍ଣପୁର ଜିଲ୍ଲାର ମା କ୍ଷେତ୍ରପାଳ ତନ୍ତୁବାୟ ସହଯୋଗ ସମିତି, ପ୍ରଥମ ପୁରସ୍କାର ୩ ଲକ୍ଷଟଙ୍କା ; ସୁବର୍ଣ୍ଣପୁର ଜିଲ୍ଲାର ବାଗଡୁଲି ଗ୍ରାମର ଦେବଦେବ ମହାଦେବ ତନ୍ତୁବାୟ ସମିତି , ଦ୍ୱିତୀୟ ପୁରସ୍କାର ୨ ଲକ୍ଷ ଏବଂ କଟକ ନୂଆପାଟଣାର ମା’ ଅନ୍ନପୂର୍ଣ୍ଣା ତନ୍ତୁବାୟ ସମିତି, ତୃତୀୟ ପୁରସ୍କାର ଏକ ଲକ୍ଷ ଟଙ୍କା ।

ଏହା ସହିତ ୭୫ବର୍ଷ ସମ୍ପୂର୍ଣ୍ଣ କରିଥିବା ୩ଟି ଐତିହ୍ୟ ସମବାୟ ସମିତିକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଏକ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରିଥିଲେ । ଏହି ତିନୋଟି ସମିତି ହେଲେ ଗଞ୍ଜାମ ହିଞ୍ଜିଳିକାଟସ୍ଥିତ କେଂଟଇକୋଳି ତନ୍ତୁବାୟ ସହଯୋଗ ସମିତି, ଗଞ୍ଜାମର କୁଲାଡ ତନ୍ତୁବାୟ ସହଯୋଗ ସମିତି ଏବଂ ଗଞ୍ଜାମ ର ବେଲଗୁଣ୍ଡା ତନ୍ତୁବାୟ ସହଯୋଗ ସମିତି ।