ହରିୟାଣା ବିଧାନସଭା ନିର୍ବାଚନ : ୧୦ଟା ସୁଦ୍ଧା ୮.୭୩ ପ୍ରତିଶତ ମତଦାନ

ଚଣ୍ଡୀଗଡ:ଆଜି ହରିୟାଣାର ୯୦ଟି ଆସନରେ ମତଗ୍ରହଣ ହେଉଛି। ରାଜ୍ୟରେ ମୁଖ୍ୟତଃ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ। ସେହି ସମୟରେ କିଛି ଆସନରେ ଜେଜେପି, ବିଜେପି ଓ କଂଗ୍ରେସ ମଧ୍ୟରେ କଡା ମୁକାବିଲା ହେବ। ୯୦ଟି ଆସନରୁ ସମୁଦାୟ ୧୧୬୯ ପ୍ରର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେଉଛି। ସେମାନଙ୍କ ମଧ୍ୟରୁ ୧୦୪ ମହିଳା ପ୍ରାର୍ଥୀ ଅଛନ୍ତି। ତେବେ ଦେଖିବାକୁ ଗଲେ ସମୁଦାୟ ୧.୮୩ କୋଟି ଭୋଟର ରହିଛନ୍ତି। ସେମାନଙ୍କ ମଧ୍ୟରେ ୮୫ ଲକ୍ଷ ମହିଳା ଭୋଟର ଅଛନ୍ତି। ଏହି ଭୋଟରମାନେ ପ୍ରାର୍ଥୀଙ୍କର ଭାଗ୍ୟ ନିରୂପଣ କରିବେ। ରାଜ୍ୟରେ ସମୁଦାୟ ୧୯,୫୭୮ଟି ପୋଲିଙ୍ଗ୍ ବୁଥ କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ୭୫୦୦୦ରୁ ଅଧିକ ଯବାନଙ୍କୁ ନିୟୋଜିତ କରାଯାଇଛି। 

ଦେଖିବାକୁ ଗଲେ ରାଜ୍ୟରେ ସକାଳ ୧୦ଟା ସୁଦ୍ଧା ୮.୭୩ ପ୍ରତିଶତ ମତଦାନ ହୋଇଛି। ଫତେହାବାଦରେ ରତିୟା ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଜେନେରାଲ ସିଂହ ଭୋଟ ଦେବାକୁ ପହଁଚିଛନ୍ତି। କରନାଲରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟର ସାଇକେଲରେ ଭୋଟ ଦେବାକୁ ପହଁଚିଛନ୍ତି। ସେହି ଭଳି ସାଂସଦ ଧର୍ମବୀର ସିଂହ ଭିବାନୀ ପବ୍ଲିକ ହେଲଥ ବିଭାଗରେ ହୋଇଥିବା ବୁଥରେ ମତଦାନ କରିଛନ୍ତି। କୁଋକ୍ଷେତ୍ରର ସାଂସଦ ନାୟବ ସୈନୀ ଏବଂ ତାଙ୍କର ଧର୍ମପତ୍ନୀ ସୁମନ ସୈନୀ ହଲ୍କା ନାରାୟଣଗଡ ଗ୍ରାମ ମିର୍ଜାପୁରରେ ବୁଥ ନମ୍ବର ୧୨୨ରେ ଭୋଟ ଦେଇଛନ୍ତି। ଜନନାୟକ ଜନତା ପାର୍ଟିର ଅଧ୍ୟକ୍ଷ ଦୁଷ୍ୟନ୍ତ ଚୋଟାଲା ଏବଂ ତାଙ୍କ ପତ୍ନୀ ଟ୍ରାକ୍ଟରରେ ସବାର ହୋଇ ମତଦାନ କରିବାକୁ ପହଁଚିଥିଲେ।