କରୋନା ପରୀକ୍ଷା ପାଇଁ ମୋବାଇଲ୍ ଲ୍ୟାବ ଲଞ୍ଚ କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ କରୋନା ଭୂତାଣୁ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ସ୍ୱାବ ନମୁନା ପରୀକ୍ଷାକୁ ତ୍ୱରାନ୍ୱିତ କରିବାକୁ ଚେଷ୍ଟା କରାଯାଉଛି। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ଦେଖି ଗୁରୁବାର ଦିନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ଏକ ମୋବାଇଲ୍ ଲ୍ୟାବ ଆରମ୍ଭ କରିଛନ୍ତି, ଯାହା କରୋନା ସ୍ୱାବ ନମୁନା ପରୀକ୍ଷଣରେ ବ୍ୟବହୃତ ହେବ । ଏହି ଲ୍ୟାବ ଯେ କୌଣସି ସ୍ଥାନକୁ ଯାଇ ଆକ୍ରାନ୍ତଙ୍କ ସ୍ୱାବ ନମୁନା ପରୀକ୍ଷା କରି ପାରିବ । ନମୁନା ପରୀକ୍ଷାକୁ ସହଜ କରିବା ପାଇଁ ପ୍ରଥମ କରି କେନ୍ଦ୍ର ସରକାର ଏହି ସୁବିଧାର ଶୁଭାରମ୍ଭ କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଦେଶର ଆଭ୍ୟନ୍ତରୀଣ, ଅପହଞ୍ଚ ଅଞ୍ଚଳରେ ବା ଯେଉଁଠାରେ ଲ୍ୟାବର ସୁବିଧା ନାହିଁ ସେଠାରେ ମୋବାଇଲ୍ ଲ୍ୟାବ ନିୟୋଜିତ ହେବ, ଯାହା ଗୋଟେ ଦିନରେ ୨୫ ଟି ଆରଟି-ପିସିଆର ପରୀକ୍ଷା କରି ପାରିବ। ଏହା ସହ ୩୦୦ଟି ଏଲିଶା ପରୀକ୍ଷା ଏବଂ ସିଜିଏଚଏସ ହାର ଅନୁଯାୟୀ ଟିବି, ଏଚଆଇଭି ପାଇଁ ଅତିରିକ୍ତ ପରୀକ୍ଷା କରି ପାରିବ ।

ମୋବାଇଲ୍ ଲ୍ୟାବକୁ ଲଞ୍ଚ କରି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ କହିଛନ୍ତି ଯେ, ଫେବୃଆରୀରେ ଆମ ଦେଶରେ କେବଳ ଗୋଟିଏ ଲ୍ୟାବ ଥିଲା, କିନ୍ତୁ ଆଜି ଆମ ପାଖରେ ୯୫୩ ଲ୍ୟାବ ରହିଛି । ସେଥିମଧ୍ୟରୁ ପ୍ରାୟ ୭୦୦ଟି ସରକାରୀ ଲ୍ୟାବ ରହିଛି। ଏବେ ଲ୍ୟାବ ସଂଖ୍ୟା ଅଧିକ ହେବା ସହ ମୋବାଇଲ୍ ଲ୍ୟାବକୁ ଲଞ୍ଚ କରାଯିବା ପରେ ବର୍ତ୍ତମାନ ଦେଶରେ କରୋନା ଭୂତାଣୁ ପରୀକ୍ଷା ହାର ଅଧିକ ହେବ ବୋଲି ସେ କହିଛନ୍ତି ।