ରୋଡ୍ ରୋମିଓଙ୍କୁ ସାବାଡ୍ କରିବ ‘ହର’ ଟିମ୍

ମହିଳାଙ୍କୁ ଦୁର୍ବ୍ୟବହାର ଛାଡ଼ । ନହେଲେ ଭୁବନେଶ୍ୱର ଛାଡ଼ । ରୋଡ୍ ରୋମିଓଙ୍କୁ ଏଭଳି ସତର୍କବାଣୀ ଶୁଣାଇଛି କମିଶନରେଟ ପୁଲିସ । ରୋଡ୍ ରୋମିଓଙ୍କୁ ସାବାଡ୍ ଲକ୍ଷ୍ୟରେ ଟିମ୍ ‘ହର'(ହାଇ ଏଫିସିଏନ୍ସି ରେସପୋନ୍ସ) ଗଢ଼ାଯାଇଛି । ଏକ ଟୋଲ ଫ୍ରି ନମ୍ବର ‘୬୩୭୨୫୦୦୪୦୦’ ଜାରି ହୋଇଛି । ନଚେତ୍ ୧୧୨କୁ ଡାଏଲ୍ କରି ଅଭିଯୋଗ କରିବାକୁ ପୁଲିସ ପରାମର୍ଶ ଦେଇଛି ।

ବିଶେଷକରି, କର୍ମଜୀବୀ ମହିଳାଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉଛି । ସେମାନେ ରାତିବେଳା ଘରକୁ ଫେରୁଛନ୍ତି । ବାଟରେ କେହି ହଇରାଣ କଲେ, ତୁରନ୍ତ ଉପରୋକ୍ତ ୨ ନମ୍ବରକୁ ଫୋନ୍ କରିବାକୁ କୁହାଯାଇଛି । ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ସୁରକ୍ଷା ଯୋଗାଇବ । ଅଭିଯୋଗକାରୀଙ୍କ ନାମ, ଠିକଣା ଗୋପନ ରଖାଯିବ ବୋଲି ପୁଲିସ କହିଛି । ଏସିପି ଅଞ୍ଜନା ଟୁଡୁ ଟିମ୍ର ନେତୃତ୍ୱ ନେଉଛନ୍ତି । ଟିମ୍ରେ ବର୍ତ୍ତମାନ ୧୪ ଜଣ ମହିଳା ପୁଲିସ କର୍ମଚାରୀ ଅଛନ୍ତି । ମାସେ ତଳେ ପରୀକ୍ଷାମୂଳକ ଭାବେ ଟିମ୍ କାମ ଆରମ୍ଭ କରିଥିଲା । ଟିମ୍ ସଦସ୍ୟାମାନେ ସହରରେ ବୁଲି ‘ରୋଡ ରୋମିଓ’ଙ୍କୁ ଖୋଜିଥିଲେ । ସାଦା ପୋଷାକରେ ବିଭିନ୍ନ ଖଟି, ମାର୍କେଟ, ପାର୍କରେ ପଇଁତରା ମାରିଥିଲେ ଏହି ମହିଳା ସ୍କ୍ୱାଡ୍ । ଥାନାରେ ଅଭିଯୋଗ ମୁତାବକ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା ।